ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତକୁ ବିତିଲାଣି ୨୫ ଦିନ । ହେଲେ ଏଯାଏଁ ଅନେକ ଚାଷୀଙ୍କୁ ମିଳିନି କ୍ଷତିପୂରଣ । ଗତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦୁରା ସମେତ ବୋରିଗୁମ୍ମା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ଏବେ ବି ବହୁ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଲଗାଣ ବର୍ଷା ପରେ ଜମିରେ ୫ ଦିନ ଧରି ବନ୍ୟା ପାଣି ଜମି ରହିଥିଲା । ଫଳରେ ବ୍ୟାପକ ଚାଷ ନଷ୍ଟ ହୋଇଯାଇଛି । ହେଲେ ଏବେ ବି ଅନେକ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ଯାହାକୁ ମିଳିଛି ତାହା କେବଳ ନାମକୁ ମାତ୍ର । ଗୋଟିଏ ଏକର ଚାଷ କରିବାକୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର ୬୫୦୦ ରୁ ୮୫୦୦ ଟଙ୍କା ଦେଉଛନ୍ତି । ଏତେ କମ୍ ଟଙ୍କାରେ ଚାଷୀ କିପରି ଋଣ ସୁଝିବେ ? କିପରି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଋଣ ଛାଡ଼ ନେଇ ଦାବି କରାଯାଉଛି । ଅନ୍ୟପଟେ ପ୍ରାୟ ୭୦ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆସରିଲାଣି । ବଳକା ଚାଷୀଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

