ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ସଂକ୍ରମଣ ଏବଂ ବୟସ ସମ୍ବନ୍ଧୀୟ ଜଟିଳତା ପାଇଁ ସେ ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାରୀଙ୍କ କହିବା ମୁତାବକ, ତାଙ୍କର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ୯୮ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଫୁସଫୁସ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତର ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଯଦି ଦେଖିବା, ଆଡଭାନୀ ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ ଏବଂ ସମୟ ସମୟରେ ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେଠାକୁ ଯାଉଥିଲେ । ଗତ ମେ ମାସରେ ମଧ୍ୟ ତାଙ୍କୁ ବୟସ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାର କିଛି ଦିନ ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା ।
ଲାଲକୃଷ୍ଣ ଆଡଭାନୀ ତିନି ଥର ଦଳର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୬-୧୯୯୦, ୧୯୯୩-୧୯୯୮ ଏବଂ ୨୦୦୪-୨୦୦୫ । ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଡିସେମ୍ବର ୨୦୨୪ ରେ ଚିକିତ୍ସା ଏବଂ ମୂଲ୍ୟାଙ୍କନ ପାଇଁ ଇନ୍ଦ୍ରପ୍ରସ୍ଥର ଆପୋଲୋ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ସେ ନ୍ୟୁରୋଲୋଜିଷ୍ଟ ଡକ୍ଟର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ଥିଲେ । ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ୨୫ ସେପ୍ଟେମ୍ବର ୧୯୯୦ ରେ ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭ ହୋଇଥିବା ମନ୍ଦିର ଯାତ୍ରାର ନେତୃତ୍ୱ ନେଇଥିଲେ । ସମ୍ପ୍ରତି, ୨୦୨୪ ରେ ଭାରତ ସରକାର ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ । ତାଙ୍କ ସାର୍ବଜନୀନ ଜୀବନର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

