ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ବେଣ୍ଟି ମୁକାବିଲା । ସିରିଜର ଶେଷ ତଥା ପଞ୍ଚମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ୟା ୭ଟାରେ ବେଙ୍ଗଳୁରୁ ସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପାଞ୍ଚଟିକିଆ ସିରିଜରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ୨-୨ ସମାନ ସ୍ତରରେ ରହିଛି ସ୍ଥିତି । ଆଜି ଭାରତୀୟ ଦଳରେ ସାମିଲ ହେବେ ଡାହାଣ ହାତୀ ଦ୍ରୁତ ବୋଲର ଭୁବନେଶ୍ବର କୁମାର । ଲକ୍ଷ୍ନୌ ଓ ଇନ୍ଦୋରରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ଟ୍ବେଣ୍ଟି-ଟ୍ବେଣ୍ଟିରେ ଭାରତ ଜିତିଥିବା ବେଳେ ରାଞ୍ଚି ଓ ହାଇଦ୍ରାବାଦରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିଜୟୀ ହୋଇଥିଲା । ଆଜି ସିରିଜର ଅନ୍ତିମ ମ୍ୟାଚ୍ ହୋଇଥିବାରୁ ଏହା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଭରପୂର ଉଦ୍ୟମ କରିବେ ଉଭୟ ଟିମ୍ ।
ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ ଏହି ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଛି । ସାଇ ହୋପ୍ ଙ୍କ ନେତୃତ୍ବାଧୀନ ଏହି ଦଳ ଦିନିକିଆରେ ୩୫୨ ରନ୍ ବିଶାଳ ଲକ୍ଷ୍ୟକୁ ହାସଲ କରିଥିଲା ବେଳେ ଟି-ଟ୍ବେଣ୍ଟି ଶୃଙ୍ଖଳାରେ ମଧ୍ୟ ୨୫୦ ରନ୍ ର ଲକ୍ଷ୍ୟ ପୂରଣ କରି ଭାରତକୁ ଚକିତ କରିଛି । ଏହାସହ ହାଇଦ୍ରାବାଦରେ ଗତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିଛି ଭ୍ରମଣକାରୀ ଦଳ । ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବେଳେ ବୋଲରମାନେ ପ୍ରଭାବହୀନ ରହିଛନ୍ତି । ଏପଟେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ, ଶ୍ରେୟସ ଆୟର, ତିଳକ ବର୍ମାଙ୍କ ପ୍ରଦର୍ଶନ ଉପରେ ଉପରେ ରହିଛି ଟିମର ଭାର । ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଆହତ ଥିବାରୁ ଖେଳିବା ନେଇ ସନ୍ଦେହ ରହିଛି । ବୁଧବାର ମ୍ୟାଚ୍ ରେ ବୋଲିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ତେବେ ମ୍ୟାଚ୍ ପୂର୍ବରୁ ତାଙ୍କ ସୁସ୍ଥତା ଦେଖି ବିଚାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଭାରତ ମୋଟାମୋଟି ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ମୁକାବିଲାରେ ୨୨-୧୨ରେ ଆଗୁଆ ଅଛି ଏବଂ ଗୋଟିଏ ମ୍ୟାଚ୍ କୌଣସି ଫଳାଫଳ ବିନା ଶେଷ ହୋଇଛି । ତଥାପି ୱେଷ୍ଟଇଣ୍ଡିଜ ୨୦୨୩ ରେ କାରିବିଆନ୍ ଏବଂ ଯୁକ୍ତରାଷ୍ଟ୍ର ଦଳଗୁଡିକ ମଧ୍ୟରେ ୩-୨ ରେ ପୂର୍ବ ଦ୍ବିପାକ୍ଷିକ ସିରିଜ ଜିତିଥିଲା ଏବଂ ଶନିବାର ଭାରତୀୟ ମାଟିରେ ପ୍ରଥମ ଦ୍ବିପାକ୍ଷିକ T20I ସିରିଜ ବିଜୟ ପାଇଁ ଚେଷ୍ଟା କରିବ ।

