ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ଗାଁରେ ଏବେ ହାତୀ ଓ ବାରହା ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟଜନ୍ତୁମାନେ ଜନବସତିରେ ପଶି ବ୍ୟାପକ ଧାନ ଫସଲ ଖାଇବା ସହ ପନିପରିବାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି। ରାତି ହେଲେ ଗାଁ ଗାଁରେ ହାତୀ ଓ ବାରହା ପାଲଟୁଛନ୍ତି ଆତଙ୍କର କାରଣ, ଯାହାଫଳରେ ନିଜର ଗୁଜରାଣ ମେଣ୍ଟାଉଥିବା ଗରିବ ଚାଷୀମାନେ ଏବେ ସର୍ବସ୍ୱାନ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ କ୍ଷତିପୂରଣ ପାଇଁ ଚାଷୀମାନେ ବାରମ୍ବାର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (DFO)ଙ୍କୁ ଗୁହାରି କରିଛନ୍ତି। ମାତ୍ର ବନ ବିଭାଗର ଅବହେଳା ଯୋଗୁଁ କୌଣସି ସୁଫଳ ମିଳିନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ପ୍ରଶାସନିକ ଉଦାସୀନତାରେ ଅତିଷ୍ଠ ହୋଇ ଶେଷରେ ଚାଷୀମାନେ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି । ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା ଏବଂ ନଷ୍ଟ ହୋଇଥିବା ଫସଲର ଉଚିତ୍ କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଗଣଧାରଣାରେ ବସିଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

