ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କ ସୁରକ୍ଷାକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ସର୍ବସାଧାରଣ ସ୍ଥାନ ଉପରେ ଏବେ ରହିବ ପୋଲିସର ନଜର । ଦିଲ୍ଳୀରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଯୌନ ଅପରାଧ ଏବଂ ଅସୁରକ୍ଷିତ ପରିବେଶକୁ ନେଇ ସୁପ୍ରିମକୋର୍ଟ ସ୍ବତଃ ଦୃଷ୍ଟି ଦେଇଛନ୍ତି । ଏନେଇ ୫ ଅକ୍ଟୋବର ୨୦୨୬ ହୋଇଥିବା ଏକ ଶୁଣାଣୀରେ ସୁପ୍ରିମକୋର୍ଟ ଜାତୀୟ ରାଜଧାନୀ ବଢୁଥିବା ଅପରାଧକୁ କିପରି ରୋକାଯାଇପାରିବ ସେ ବିଷୟରେ ଦିଲ୍ଲୀ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ମାସ ଭିତରେ ଦିଲ୍ଲୀ ଏନସିଆରରେ ହୋଇଥିବା ତିନୋଟି ଦୁଷ୍କର୍ମ ମାମଲାର ପରେ ଶୁଣାଣୀ କରି କୋର୍ଟ କଡା ଶବ୍ଦରେ କହିଛନ୍ତି ଯେ, ଅପରାଧୀମାନ ପୋଲିସକୁ ଭୟ କରିବା ଉଚିତ । ଶୁଣାଣୀ ସମୟରେ କୋର୍ଟ ୨୦୧୨ ମସିହାର ନିର୍ଭୟା ମାମଲାର ମଧ୍ୟ ଉଲ୍ଲେଖ କରିଥିଲେ । ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିଲେ ଯେ, ଏତେ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅବହେଳା କିମ୍ବା ପାଟ୍ରୋଲିଂରେ ଢିଲା ଯୋଗୁଁ ଦିଲ୍ଲୀ ରାସ୍ତାରେ ବସ୍ ଏବଂ ମେଟ୍ରୋ ଷ୍ଟେସନଗୁହିକ ହାଇ-ରିକ୍ସ ଜୋନ୍ ହେବାକୁ ଅନୁମତି ଦିଆଯାଇପାରିବ ନାହିଁ । ଆଉ କୋର୍ଟଙ୍କ ଏହି କଡା ନିର୍ଦ୍ଦେଶ ପରେ ଦିଲ୍ଳୀ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଯଦି ଦେଖିବା, ଦିଲ୍ଲୀରେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରିବା ଏକ ଗମ୍ଭୀର ସମସ୍ୟା ପାଲଟିଗଲାଣି । ଆଉ ସବୁଠାରୁ ବଡ କଥା ହେଉଛି ଦିଲ୍ଲୀରେ ଘଟୁଥିବା ଅପରାଧରେ ମଦ୍ୟପାନ ଏକ ପ୍ରମୁଖ କାରଣ ହୋଇ ଉଭା ହୋଇଛି । ସୁପ୍ରିମକୋର୍ଟରେ ନିର୍ଭୟା ପାରଡିଓ୍ବାଲାଙ୍କ ଖଣ୍ଡପୀଠ ଦିଲ୍ଲୀ ପୋଲିସକୁ ୨୦୧୨ ମସିହାର ନିର୍ଭୟା ମାମଲାର ଉଦାହରଣ ଦେଇ କହିଥିଲେ ଯେ, ‘ଏହି ଘଟଣାରେ ମଧ୍ୟ ଅଭିଯୁକ୍ତମାନେ ଏଭଳି ବର୍ବରକାଣ୍ଡ ଘଟାଇବା ପୂର୍ବରୁ ମଦ୍ୟପାନ କରିଥିଲେ । ଏହାପରେ ହିଁ ସେମାନେ ନିଶାସକ୍ତ ଅବସ୍ଥାରେ ଦୁଷ୍କର୍ମ କରିଥିଲେ । ତେଣୁ ଦିଲ୍ଲୀ ପୋଲିସକୁ ପ୍ରଥମେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଏହି ମାମଲାରେ ଟିକେ ବି ସଂକୋଚ କରିବା କଥା ନୁହେଁ । ଯଦିଓ ଏଥିପାଇଁ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ, ତଥାପି ପୋଲିସକୁ ନିଜ କର୍ତ୍ତବ୍ୟ ପାଳନରେ ଟିକେ ବି ପଛଘୁଞ୍ଚା ଦେବା ଉଚିତ ନୁହେଁ । କାହିଁକି ନା ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହା କରିବା ନିହାତି ଆବଶ୍ୟକ ।
ସୂଚନା ମୁତାବକ, ଜାନୁଆରୀ ୨୦୨୬ ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ସର୍ବସାଧରଣେ ମଦ୍ୟପାନର ପ୍ରାୟ ୫୪ ହଜାର ୫୩୧ଟି ମାମଲା ରୁଜୁ କରାଯାଇଛି । ସେହିଭଳି ଗତ ବର୍ଷ ୯ ମାସ ଭିତରେ ଏହି ସଂଖ୍ୟା ୪୨ ହଜାର ୨୨୩ ଥିଲା । ଅର୍ଥାତ ଏହିଭଳି ଘଟଣାରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ଦିଲ୍ଲୀ ଅବକାରୀ ଅଧିନିୟମ ଧାରା ୪୦ ଆଧାରରେ ପୋଲିସ ୬୭ ହଜାର ୮୪ ଜଣଙ୍କୁ ଗିରଫ କରିଛି । ଯାହା ଗତ ବର୍ଷ ଠାରୁ ୨୬ ପ୍ରତିଶତ ଅଧିକ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସର୍ବାଚ୍ଚ ଅଦାଲତ ଦିଲ୍ଲୀ ପୋଲିସକୁ ସମ୍ବେଦନଶୀଳ ଅଞ୍ଚଳଗୁଡିକର ମ୍ୟାପ ପ୍ରସ୍ତୁତ କରିବାକୁ କହିଛନ୍ତି । ଫଳରେ ସେହି ଅଞ୍ଚଳରେ ଅପରାଧର ପାର୍ଟନ୍ ବୁଝିହେବ ଏବଂ ସେହି ଆଧାରରେ ଅପରାଧୀଙ୍କ ଉପରେ ନଜର ରଖାଯାଇପାରିବ ।

