spot_img

Latest Posts

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ PMOଙ୍କ ହସ୍ତକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଏବଂ ବହି ଛପାରେ ହୋଇଥିବା ଅନିୟମିତତା ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅତ୍ୟନ୍ତ ଗୁରୁତ୍ୱର ସହ ହସ୍ତକ୍ଷେପ କରିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଛପା ସମ୍ପର୍କିତ ବ୍ୟାପକ ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ପିଏମ୍‌ଓ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ‘ଓଡ଼ିଶା ସୂଚନାଧିକାର ଅଭିଯାନ’ର ଆବାହକ ପ୍ରଦୀପ ପ୍ରଧାନ ପାଠ୍ୟପୁସ୍ତକରେ ଥିବା ସମ୍ଭାବ୍ୟ ଗୁରୁତର ତ୍ରୁଟି ଓ ବହି ଛପା ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ। ସେ ଚିଠିରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ପାଠ୍ୟପୁସ୍ତକ ପ୍ରକାଶନ ଏବଂ ସରକାରୀ ପାଣ୍ଠିର ବିନିଯୋଗ ସହ ଜଡ଼ିତ ଏକାଧିକ ପ୍ରଶ୍ନ ଉଠାଯାଇଥିଲା।

ଏହି ଗୁରୁତର ଅଭିଯୋଗକୁ ଆଧାର କରି ପିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତୁରନ୍ତ ତତ୍ପରତା ପ୍ରକାଶ କରିଛି। ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ବିଭାଗୀୟ ତଦନ୍ତ ଶେଷ ହେବା ପରେ ପାଠ୍ୟପୁସ୍ତକ ତ୍ରୁଟି ଓ ଛପାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ତେବେ ସୂଚନାଯୋଗ୍ୟ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରେ ଥିବା ଭୁଲ୍ ତଥ୍ୟ, ବ୍ୟାକରଣଗତ ତ୍ରୁଟି ଏବଂ ନିମ୍ନମାନର ଛପାକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏବେ ଏହି ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତରରେ ପହଞ୍ଚିବା ପରେ ସମଗ୍ର ଘଟଣାଟି ଅଧିକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ରାଜ୍ୟରେ ପାଠ୍ୟପୁସ୍ତକ ପ୍ରସ୍ତୁତି, ଛପା ଏବଂ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ଆର୍ଥିକ କିମ୍ବା ପ୍ରଶାସନିକ ଅନିୟମିତତା ହୋଇଛି କି ନାହିଁ, ତାହା କେନ୍ଦ୍ରୀୟ ତଦନ୍ତ ଓ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

Latest Posts

Don't Miss