spot_img

Latest Posts

ପାରାଦୀପରୁ ଚାଇନା ଯାଉଥିବା ଜାହାଜ ବୁଡ଼ିଲା, ଓଦା ଲୁହାପଥର ହୋଇପାରେ ଦୁର୍ଘଟଣାର କାରଣ

ନନ୍ଦିଘୋଷ ବ୍ୟୁରୋ ; ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚାଇନା ଯାଉଥିବା ପଣ୍ୟବାହୀ ଜାହାଜ ‘ଓସେନ୍ ୱିନର’ ମଝି ସମୁଦ୍ରରେ ବୁଡ଼ିଯାଇଛି। ଜାହାଜରେ ୨୦ ଜଣ ଚାଇନା ନାଗରିକ, ଜଣେ ବାଂଲାଦେଶୀ ଏବଂ ୩ ଜଣ ଇଣ୍ଡୋନେସିଆ ନାଗରିକ ଥିବା ଜଣାପଡ଼ିଛି। ଗତ ୨୦ ତାରିଖରେ ପାରାଦୀପ ବନ୍ଦର ଛାଡ଼ି ଜାହାଜଟି ଚାଇନା ଅଭିମୁଖେ ଯାଉଥିଲା। ତେବେ ପାରାଦୀପଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ବା ୩୮୪ କିଲୋମିଟର ଦୂରରେ ଭାରତୀୟ ଅନ୍ତର୍ଜାତୀୟ ଜଳସୀମା ନିକଟରେ ଏହା ବୁଡ଼ିଥିବା ସୂଚନା ମିଳିଛି।

ଗତ ୨୧ ତାରିଖରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ଜାହାଜର ସନ୍ଧାନ ଆରମ୍ଭ ହୋଇଥିଲା। ଏବେ ଜାହାଜର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଆଣ୍ଡାମାନର କୋଷ୍ଟଗାର୍ଡ ଓ ନୌସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ପାରାଦୀପ କୋଷ୍ଟଗାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

ପ୍ରାଥମିକ ଭାବେ ଓଦା ଲୁହାପଥରକୁ ଏହି ବଡ଼ ଅଘଟଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ପାରାଦୀପକୁ ଆସୁଥିବା ଲୁହାପଥର ଯଥେଷ୍ଟ ସୁରକ୍ଷା ସହ ଗଚ୍ଛିତ ରଖାଯାଉନଥିବା ଅଭିଯୋଗ ରହିଛି। ବନ୍ଦର ଭିତରେ ଥିବା ଖୋଲା ପ୍ଲଟ୍‌ରେ ଲୁହାପଥର ଗଚ୍ଛିତ ରଖିବା ପରେ ତାହା ଜାହାଜରେ ଲୋଡ୍ କରାଯାଉଥିବା କୁହାଯାଉଛି। ବର୍ଷା ଯୋଗୁଁ ଲୁହାପଥର ଓଦା ହୋଇ କାଦୁଆ ଆକାର ଧାରଣ କରୁଥିବାରୁ ଏହାର ଓଜନ ବଢ଼ିଯାଉଛି। ଫଳରେ ନିର୍ଦ୍ଧାରିତ ଉଚ୍ଚତା ପର୍ଯ୍ୟନ୍ତ ଲୋଡ୍ କରାଯାଇଥିଲେ ମଧ୍ୟ ଜାହାଜରେ ଲୁହାପଥରର ଓଜନ ଏହାର ଧାରଣ କ୍ଷମତାଠାରୁ ଅଧିକ ହୋଇପାରେ। ଲୋଡିଂ ପରେ ଓଦା ଲୁହାପଥର ତଳକୁ ବସିଯିବାରୁ ଜାହାଜର ଭାରସାମ୍ୟ ମଧ୍ୟ ପ୍ରଭାବିତ ହୋଇଥାଇପାରେ। ତେବେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଉଦ୍ଧାର ଓ ତଦନ୍ତ ପରେ ସ୍ପଷ୍ଟ ହେବ।

 

Latest Posts

Don't Miss