ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଭାଇଚାରାର ଗଣପର୍ବ ନୂଆଖାଇ। ଏହି କୃଷିଭିତ୍ତିକ ମହାନ ପର୍ବକୁ ଧୁମଧାମରେ ପାଳନ କରିବାକୁ ଉତ୍ସବମୁଖର ହୋଇପଡେ ପୁରପଲ୍ଲୀ ନୂଆଁଖାଇ ପାଇଁ ଆଜି ଜ୍ୟୋତିଷ ପଣ୍ଡିତ ମହାସଭାରେ ଲଗ୍ନ ନିର୍ଣ୍ଣାୟକ ହେବା ପରେ ଉତ୍ସବ ମୁଖର ହୋଇଛି ବଲାଙ୍ଗୀର ଜିଲ୍ଲା । ଲଗ୍ନ ନିର୍ଣ୍ଣୟ ହେବା ପରେ ଆଜିଠୁ ଘରେ ଘରେ ଆରମ୍ଭ ହୋଇଛି ନୁଆଁଖାଇ ପ୍ରସ୍ତୁତି । ଚାଷୀର ବର୍ଷଯାକର ପରିଶ୍ରମର ନୂଆ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନୂଆଖାଇ ପର୍ବ ପାଇଁ ଆରମ୍ଭ ହୋଇଛି ସଜବାଜ । ଶୈଳଶ୍ରୀ ପ୍ୟାଲେସ ଲୋକନାଥ ମନ୍ଦିର ଠାରେ ପଣ୍ଡିତ ମହାସଭା ବୈଠକରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ଲଗ୍ନ ଧାର୍ଯ୍ୟ ହୋଇଛି । ପାଟଣା ମହାରାଜଙ୍କ ରାଜପଣ୍ଡିତ ସନ୍ତୋଷ ଦାସଙ୍କ ନିର୍ଦ୍ଦେଶରେ ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଲଗ୍ନ ନିର୍ଦ୍ଧାରିତ ହୋଇଛି । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟଣେଶ୍ୱରୀ ଓ ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବିଶୁଦ୍ଧ ତୁଳା ଲଗ୍ନରେ ନୂଆଖାଇ ପାଳନ କରାଯିବ । ଦିବା ୯ ଘଣ୍ଟା ୩୬ ମିନିଟରୁ ୧୦ ଘଣ୍ଟା ୧୦ ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବେ ।ପଶ୍ଚିମ ଓଡ଼ିଶାର ଏହା ମୁଖ୍ୟପର୍ବ । ଏନେଇ ନୂଆଖାଇକୁ ଗଣପର୍ବ କହାଯାଇଥାଏ । ନୂଆଖାଇରେ ବିଶେଷ କରି ଚାଷୀ ପରିବାରରେ ବେଶ୍ ଉତ୍ସାହ ଦେଖା ଦେଇଥାଏ । ନୂଆଖାଇ ପାଇଁ ଲଗ୍ନ ନିର୍ଣ୍ଣୟ ପରେ ମହିଳା ମାନେ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ନୂଆଁଖାଇ ଦିନ ମାଆ ଅନ୍ନପୂର୍ଣା ଘରକୁ ଆସିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ସମସ୍ତେ ଘରକୁ ସଫାସୁତରା କରିଥାନ୍ତି । ସେହିପରି ଏହି ଦିନ ଦେବାଦେବୀ ମନ୍ଦିର ଗୁଡିକୁ ମଧ୍ୟ ସୁସଜ୍ଜିତ କରାଯାଇଥାଏ । ଭୋର୍ ସକାଳୁ ଗୁପ୍ତ ପୂଜା ଓ ନୀତିକାନ୍ତି ପରେ ଲଗ୍ନ ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆଁ ଲାଗି କରାଯାଇଥାଏ ।

