ନନ୍ଦିଘୋଷ ବ୍ୟୁରୋ: ଔଷଧ ଗୋଦାମ ନିକଟରେ କୁଢ଼ କୁଢ଼ ଔଷଧ । ଖୋଲା ଆକାଶ ତଳେ ପଡିଛି ଏକ୍ସପାଏରୀ ମେଡିସିନ । କଳାହାଣ୍ଡି ଜିଲ୍ଲା ଔଷଧ ଗୋଦାମରେ ଅବ୍ୟବସ୍ଥା । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ଆଶଙ୍କା । ଏ ହେଉଛି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାର ମେଦିନୀପୁର ଛକ ନିକଟ ୱେୟାର ହାଉସ୍’ ପରିସରର ଦୃଶ୍ୟ। ଯେଉଁଠାରୁ ସମସ୍ତ ଡାକ୍ତରଖାନାକୁ ଔଷଧ ଯୋଗାଣ ହୋଇଥାଏ। ହେଲେ ଏବେ ସେହି ୱେୟାର ହାଉସ୍ ପରିସର ଏକ ବିଷାକ୍ତ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଗୋଟିଏ କି ଦୁଇଟି ବସ୍ତା ନୁହେଁ, ପ୍ରାୟ ୩ ଟ୍ରକ୍ ରୁ ଅଧିକ ଏକ୍ସପାୟର ଓ ମାନଦଣ୍ଡ ହାସଲ ନ କରିଥିବା ସାଲାଇନ୍ ବୋତଲ, ସାନିଟାରୀ ନ୍ୟାପକିନ୍, କାଚ ବୋତଲ ଓ ଅନେକ ଔଷଧ ଏଠାରେ ଖୋଲାରେ ଗଦା ହୋଇଛି। ବର୍ଷା ପାଣି ପଡ଼ି ଏହିସବୁ ପଚିବା ସହ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି। ଯାହା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିପଦ ସାଜିଛି।
ନିୟମ ଅନୁସାରେ ଏକ୍ସପାଏରୀ ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁକୁ ଉପଯୁକ୍ତ ପ୍ରକ୍ରିୟାରେ ନଷ୍ଟ କରାଯିବା କଥା। ଏଥିପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ହସପିଟାଲରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ୱେୟାର ହାଉସରେ ଗଦା କରେ । ପରେ ବଡ଼ ଗାଡ଼ି ଆଣି ନଷ୍ଟ କରିବା ପାଇଁ ବଲାଙ୍ଗୀର ନେଇଥାଏ। ମାତ୍ର ଅଭିଯୋଗ ହେଉଛି, ଗତ କିଛି ମାସ ହେବ ଏହି ସଂସ୍ଥାର ବକେୟା ବିଲ୍ ପୈଠ ହୋଇନଥିବାରୁ, ଆଉ ବର୍ଜ୍ୟବସ୍ତୁ ଉଠାଉ ନାହାନ୍ତି। ଫଳରେ ମାସ ମାସ ଧରି ଔଷଧ ଗୋଦାମ ପରିସରରେ ଏହିସବୁ ଗଦା ହୋଇ ରହିଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ୧୫ ଦିନ ଭିତରେ ସଫା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

