spot_img

Latest Posts

ପୁରୀରେ ଆଜି ମହାପ୍ରଭୁଙ୍କ ସୁନାବେଶ: ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ପବିତ୍ର ହରିଶୟନ ଏକାଦଶୀ ତିଥିରେ ଆଜି ରଥ ଉପରେ ବିଜେ ଶ୍ରୀଜିଉଙ୍କ ସୁନାବେଶ ବା ‘ବଡ଼ତଡ଼ଉ ବେଶ’ ଅନୁଷ୍ଠିତ ହେବ। ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇ ତିନି ରଥ ଉପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଜଗତର ନାଥ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା।
ଗତକାଲି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରାରେ ଫେରିବା ପରେ ମାଉସୀ ମା’ଙ୍କ ପୋଡ଼ପିଠା ଖାଇ ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥିଲା। ବିଳମ୍ବିତ ରାତି ପ୍ରାୟ ୧୧ଟାରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଆଜି ସକାଳୁ ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଆଦି ପ୍ରଥାପରମ୍ପରା ଅନୁସାରେ ସମ୍ପାଦିତ ହେଉଛି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଆରମ୍ଭ ହେବ।

ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ:
ସୁନାବେଶ ଆରମ୍ଭ: ସନ୍ଧ୍ୟା ପ୍ରାୟ ୫:୦୦ ଟା
ଦର୍ଶନ ସମୟ: ସନ୍ଧ୍ୟା ୫:୦୦ ଟାରୁ ରାତି ୧୧:୦୦ ଟା ପର୍ଯ୍ୟନ୍ତ

ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା:
ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ହୋଇଥିବା ସ୍ୱତନ୍ତ୍ର ବାରିକେଡ୍‌ ଦେଇ ପ୍ରବେଶ କରିବେ ଏବଂ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପରିକ୍ରମା କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Latest Posts

Don't Miss