ନନ୍ଦିଘୋେଷ ବ୍ୟୁରୋ: ଫିଫା ବିଶ୍ବକପ୍ର ପ୍ରଥମ ସଂସ୍କରଣ ୧୯୩୦ ମସିହାରେ ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଏହି ବିଶ୍ବକପ୍ର ୨୨ ସଂସ୍କରଣ ଶେଷ ହୋଇଛି। ଏହା ମଧ୍ୟରେ କେବଳ ୮ ଦଳ ଏହି ବିଶ୍ବକପ୍ ଟ୍ରଫି ତୋଳି ଧରିବାର ସକ୍ଷମ ହୋଇଛନ୍ତି। ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ବକପ୍ ଜିତିଥିଲା ବେଳେ ଜର୍ମାନୀ ଓ ଇଟାଲୀ ୪ ଲେଖାଏଁ ଜିତି ଦ୍ବିତୀୟ ସ୍ଥାନରେ ଅଛନ୍ତି। ଆର୍ଜେଣ୍ଟିନା ୩ ଥର ବିଜେତା ହୋଇଥିବା ବେଳେ ଫ୍ରାନ୍ସ ଓ ଉରୁଗୁଏ ୨ ଥର ଲେଖାଏଁ ଏବଂ ଇଂଲଣ୍ଡ ଓ ସ୍ପେନ୍ ଥରେ ଲେଖାଏଁ ଟ୍ରଫି ଜିତିବାର ଗୌରବ ପାଇଛନ୍ତି।
ବ୍ରାଜିଲ୍ (୫ ଥର ବିଜେତା)
ବ୍ରାଜିଲ୍ ୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ରେ ବିଶ୍ବକପ୍ ଜିତି ଏହି ଫୁଟ୍ବଲ୍ ମହାକୁମ୍ଭର ସଫଳ ଦଳ ରହିଛି। ଏହି ଦଳ ମଧ୍ୟ ୭ ଥର ଫାଇନାଲ୍ ଖେଳି ୨ ଥର ଉପବିଜେତା ହୋଇଛି। କିଂବଦନ୍ତି ଷ୍ଟ୍ରାଇକର୍ ରୋନାଲ୍ଡୋ ଲୁଇସ୍ ନାଜାର୍ଲୋ ଡି ଲିମା ଏହି ଦେଶ ପକ୍ଷରୁ ବିଶ୍ବକପ୍ରେ ସର୍ବାଧିକ ଗୋଲ୍ ୧୫ ଦେଇଛନ୍ତି। ଏହି ଦେଶର ମହାନ ଫୁଟ୍ବଲର୍ ପେଲେ ସର୍ବାଧିକ ୩ ଥର ବିଶ୍ବକପ୍ ତୋଳି ଧରିବାର ଗୌରବ ଅର୍ଜନ କରିଛନ୍ତି।
-ଜର୍ମାନୀ (୪ ଥର ବିଜେତା)
ଜର୍ମାର୍ନୀ ୪ ଥର ବିଶ୍ବମୁକୁଟ ୧୯୫୪, ୧୯୭୪, ୧୯୯୦ ଓ ୨୦୧୪ରେ କରାୟତ୍ତ କରିଥିଲା। ଏହି ଦଳ ୮ ଥର (ଉଭୟ ପଶ୍ଚିମ ଜର୍ମାନୀ ଓ ଜର୍ମାନୀ) ଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇଛି।
-ଇଟାଲୀ (୪ ଥର ବିଜେତା)
ଇଟାଲୀ ୧୯୩୪, ୧୯୩୮, ୧୯୮୨ ଓ ୨୦୦୬ରେ ବିଶ୍ବକପ୍ ତୋଳି ଧରିଥିଲା। ଇଟାଲୀ ପ୍ରଥମ ଦଳ ଭାବେ ଲଗାତାର ୨ ଥର ବିଜେତା ହୋଇଥିଲା। ଶେଷ ଥର ଲାଗି ୨୦୦୬ରେ ବର୍ଲିନରେ ଏହି ଦଳ ଟ୍ରଫି ଜିତିଥିଲା। ଫାଇନାଲ୍ର ନିର୍ଦ୍ଧାରିତ ଓ ଅତିରିକ୍ତ ସମୟରେ ମ୍ୟାଚ୍ ୧-୧ ସ୍ଥିତିରେ ରହିଥିଲା। ଶେଷରେ ଇଟାଲି ୫-୩ ସୁଟ୍ଆଉଟ୍ରେ ଫ୍ରାନ୍ସକୁ ହରାଇ ବିଜେତା ହୋଇଥିଲା। ଇଟାଲୀ ୬ ଥର ଫାଇନାଲ୍ ଖେଳିଥିଲା ବେଳେ ୨୦୧୮, ୨୦୨୨ ଓ ୨୦୨୬ ବିଶ୍ବକପ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି।
-ଆର୍ଜେଣ୍ଟିନା (୩ ଥର ବିଜେତା)
ଆର୍ଜେଣ୍ଟିନା ୩ ଥର (୧୯୭୮, ୧୯୮୬ ଓ ୨୦୨୨) ବିଶ୍ବ ବିଜେତା ହୋଇଛି। ଡିଏଗୋ ମାରୋଡୋନାଙ୍କ ଚମତ୍କାରିତାରେ ୧୯୮୬ରେ ଟ୍ରଫି ଜିତିଥିବା ଏହି ଦଳ ୩୬ ବର୍ଷ ପରେ ୨୦୨୨ରେ ଲିଓନେଲ୍ ମେସିଙ୍କ ନେତୃତ୍ବରେ ଫ୍ରାନ୍ସକୁ ହରାଇ ବିଶ୍ବକପ୍ ଜିତିଥିଲା। ଏହି ଦଳ ଏପର୍ଯ୍ୟନ୍ତ ୬ ଥର ବିଶ୍ବକପ୍ ଫାଇନାଲ୍ ଖେଳିଛି।
-ଫ୍ରାନ୍ସ (ଦୁଇ ଥର ବିଜେତା)
ଫୁଟ୍ବଲ୍ର ବିଶ୍ବ ମୁକୁଟ ଫ୍ରାନ୍ସ ୨ ଥର ୧୯୯୮ ଓ ୨୦୧୮ରେ ଅର୍ଜନ କରିବାରେ ସଫଳ ହୋଇଥିଲା। ଏହି ଦଳ ନିଜ ମାଟିରେ ବ୍ରାଜିଲକୁ ଫାଇନାଲ୍ରେ ହରାଇ ପ୍ରଥମ ବିଶ୍ବମୁକୁଟ କରାୟତ୍ତ କରିଥିଲା। ଏହାର ଦୁଇ ଦଶନ୍ଧି ପରେ ମସ୍କୋରେ ଖେଳାଯାଇଥିବା ଫାଇନାଲ୍ରେ କ୍ରୋଏସିଆକୁ ଦ୍ବିତୀୟ ମୁକୁଟ ନିଶ୍ଚିତ କରିଥିଲା।
-ଉରୁଗୁଏ (୨ ଥର ବିଜେତା)
ଉରୁଗୁଏ ଉଦ୍ଘାଟନୀ ସଂସ୍କରଣ ସହ ୧୯୫୦ରେ ବିଶ୍ବକପ୍ ଜିତିଥିଲା। ଏହି ଦୁଇ ଥର ଫାଇନାଲ୍ ଖେଳିଥିଲା ବେଳେ ୨ ଥର ଯାକ ବିଶ୍ବକପ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛି। ପ୍ରଥମ ସଂସ୍କରଣ ଫାଇନାଲ୍ରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଜେତା ହୋଇଥିଲା ଉରୁଗୁଏ।
-ଇଂଲଣ୍ଡ ( ଥରେ)
ଇଂଲଣ୍ଡ ମାତ୍ର ଥରେ ୧୯୬୬ରେ ବିଶ୍ବ ବିଜେତା ହୋଇଥିଲା। ଏହି ଦଳ ମଧ୍ୟ ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍ ଖେଳି ଏହି ସଫଳତା ପାଇଥିଲା। ନିଜ ଘରୋଇ ମାଟି ଲଣ୍ଡନରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ପଶ୍ଚିମ ଜର୍ମାନୀକୁ ପରାସ୍ତ କରିଥିଲା।

