ବ୍ରହ୍ମପୁର: ବ୍ରହ୍ମପୁରରେ MV କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କୁ ପୋଡ଼ି ମାରିଦେବା ଉଦ୍ୟମ ଘଟଣାରେ ଏବେ ଏକ ବଡ଼ ମୋଡ଼ ସାମ୍ନାକୁ ଆସିଛି। ଏହି ସଂଘାତିକ କାଣ୍ଡ ପଛରେ ଅନ୍ୟ କେହି ନୁହେଁ, ବରଂ ତାଙ୍କ ନିଜ ପତ୍ନୀ ଏବଂ ଶଳା ଥିବା ନେଇ ସ୍ୱୟଂ ପୀଡ଼ିତ ଆଶୁତୋଷ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଆଶୁତୋଷ କ୍ଵାର୍ଟରକୁ ଯାଇଥିବା ସମୟରେ ତାଙ୍କ ପତ୍ନୀ ଏବଂ ଶଳା ମିଶି ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଭୟଙ୍କର ଭାବେ ନିଆଁ ଜଳିଉଠିବା ପରେ ଆଶୁତୋଷ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ, ଯାହାଫଳରେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି।
ଏହି ଅଗ୍ନିକାଣ୍ଡରେ ଆଶୁତୋଷ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ମେଡିକାଲ ଶେଯରୁ ହିଁ ସେ ନିଜ ପତ୍ନୀ ଓ ଶଳାଙ୍କ ବିରୋଧରେ ଏହି ସାଂଘାତିକ ବୟାନ ଦେଇଛନ୍ତି।
ତେବେ ମିଳିଥିବା ସୂଚନା ଅନୁସାରେ, ଆଶୁତୋଷ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଥିଲା। ପୂର୍ବରୁ ଏହି ପାରିବାରିକ ଝଗଡ଼ା ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଏପରିକି ଏହି ବିବାଦ କାରଣରୁ ପୂର୍ବରୁ ଆଶୁତୋଷଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା।
ବର୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ପୋଲିସ ଏହି ଅଭିଯୋଗକୁ ଆଧାର କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ପାରିବାରିକ ଅଶାନ୍ତି କେମିତି ଏଭଳି ଏକ ସଂଘାତିକ ରୂପ ନେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

