spot_img

Latest Posts

ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟର ଉପରେ ଗୁଳିମାଡ଼: ସୁରକ୍ଷାକର୍ମୀ ଗୁରୁତର

ପାଟନା: ଦେଶର ଜଣାଶୁଣା ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟର ଉପରେ ବଡ଼ଧରଣର ଆକ୍ରମଣ ହୋଇଛି। ଗତ ରାତିରେ କିଛି ସଶସ୍ତ୍ର ଦୁର୍ବୃତ୍ତ ବିହାର ପାଟନାରେ ଥିବା ତାଙ୍କ କୋଚିଂ ସେଣ୍ଟର ଉପରକୁ ଅତର୍କିତ ଗୁଳିମାଡ଼ କରିଛନ୍ତି। ଏହି ଗୁଳିକାଣ୍ଡରେ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁଳିମାଡ଼ କରିବା ସହ ଦୁର୍ବୃତ୍ତମାନେ କୋଚିଂ ସେଣ୍ଟରରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ବ୍ୟବସାୟିକ ଏବଂ କୋଚିଂ ସେଣ୍ଟର ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି।

ଗତ ମଙ୍ଗଳବାର ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ଏହି ଖବର ସାମ୍ନାକୁ ଆସିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଜେ ଜିଲ୍ଲା ଏସପି ଏବଂ ଏସଏସପି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୋଚିଂ ସେଣ୍ଟର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍‌କୁ ଆଧାର କରି ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।

ଖାନ୍ ସାରଙ୍କ ପ୍ରତିକ୍ରିୟା:

ଏହି ଆକ୍ରମଣ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଖାନ୍ ସାର୍। ସେ କହିଛନ୍ତି, ଆମେ ବହୁତ କମ୍ ଫି’ରେ ଅତି ଶସ୍ତାରେ ଗରିବ ପିଲାମାନଙ୍କୁ ପାଠ ପଢ଼ାଉଥିବାରୁ ଏହାକୁ କେତେକ ଲୋକ ସହିପାରୁନାହାନ୍ତି। କାହିଁକି ଏତେ ଶସ୍ତାରେ ପାଠ ପଢ଼ାଉଛ ବୋଲି କହି ସେମାନେ ଆମକୁ ଟାର୍ଗେଟ କରୁଛନ୍ତି। କିନ୍ତୁ ସେମାନେ ଆମକୁ କେବେ ବି ଦବାଇ ପାରିବେ ନାହିଁ। ଏହାସହ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ଉଚିତ ପଦକ୍ଷେପ ନେବା ଦର୍କାର ବୋଲି ସେ ଦାବି କରିଛନ୍ତି।

ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ଖବର ପ୍ରସାରିତ ହେବା ପରେ ଆଜି ସକାଳୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ନିଜ ପ୍ରିୟ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଶହ ଶହ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ କୋଚିଂ ସେଣ୍ଟର ନିକଟରେ ଜମା ହୋଇଛନ୍ତି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି।

Latest Posts

Don't Miss