ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ହଟଚମଟ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା । ଏନେଇ ଆଜି ୧୧ଟାରେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି ସିଦ୍ଧରମୈୟା। ଏହି ସାକ୍ଷାତକାର ବେଳେ ସେ ନିଜ ଇସ୍ତଫାପତ୍ର ଦେଇପାରନ୍ତି । କଂଗ୍ରେସ ହାଇକମାଣ୍ଡର ନିର୍ଦ୍ଦେଶ ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଦ୍ଧରମୈୟା । କଂଗ୍ରେସର ସର୍ତ ଅନୁଯାଇ ଏବେ ଉପମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ଡିକେ ଶିବ କୁମାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ଡିକେ ଶିବ କୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ। ଅନ୍ୟପକ୍ଷରେ ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ କର୍ଣ୍ଣାଟକା କ୍ୟାବିନେଟ ସଦସ୍ୟଙ୍କ ସହ ସିଦ୍ଦରମୈୟା ନିଜ ବେଙ୍ଗାଳୁରୁ ବାସଭବନରେ ବ୍ରେକ ଫାଷ୍ଟ ବୈଠକ କରିବେ । ଏହାପରେ ସେ ବୈଠକରୁ ସିଧା ରାଜଭବନକୁ ଯାଇ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ ବୋଲି ସୂଚନା ରହିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଗୁରୁବାର ବେଙ୍ଗାଳୁରୁରେ ପହଞ୍ଚିବେ।

