spot_img

Latest Posts

ବାଟବଣା ଆବାସ ଯୋଜନା ।

ନନ୍ଦିଘୋଷ ବ୍ୟୁରୋ: ସର୍ଭେରେ ସୀମିତ ଆବାସ ଯୋଜନା । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର। ଭଙ୍ଗାଦଦରା ଚାଳ ଛପର ଘରେ କାଳ କାଟୁଛନ୍ତି ଲୋକେ।  ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଉପାନ୍ତ ଖଜୁରୀପଦା ଗାଁରୁ ଆସିଛି ଏଭଳି ଏକ ଚିତ୍ର, ଯେଉଁଠି ୩୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ପ୍ରାୟ ୨୫ ପରିବାର ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ପିଲା ଛୁଆଙ୍କୁ ଧରି ବିପଦରେ ରହୁଛନ୍ତି। ଅନେକ ସମୟରେ ବେଙ୍ଗ ଓ ସାପ ଘରେ ପସିଥାନ୍ତି। ଖରା ଦିନେ ଯେଣତେଣ ଚଳିଯାଉଛି। ବର୍ଷା ଦିନେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ତେବେ ନିର୍ବାଚନ ବେଳେ ଖାଲି ମିଳୁଛି ଫମ୍ପା ପ୍ରତିଶ୍ରୁତି । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଆବାସ ସର୍ଭେ ସରିଛି ହେଲେ ତାଲିକା ପ୍ରକାଶ ପାଇନି କି ଲୋକଙ୍କୁ ଆବାସ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଘର ଖଣ୍ଡେ ପାଇଁ ବ୍ଲକ ପ୍ରଶାସନ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ମଧ୍ୟ କୌଣସି ସୁଫଳ ମିଳୁନି।

ଗାଁର ଜଣେ ବାସିନ୍ଦା ରାଜେଶ୍ୱରୀ ମଣ୍ଡଳ, ନିଜ କୁନି କୁନି ପିଲାଙ୍କୁ ନେଇ ଚାଳ ଛପର ଘରେ ରୁହନ୍ତି। ତାଙ୍କ ବାପା ଜେଜେ ବି ସେମିତି ଚାଳଘରେ ରହି ଆଖି ବୁଜିଥିଲେ । ସେ ଭାବିଥିଲେ ସର୍ଭେ ପରେ ତାଙ୍କୁ ଘର ଖଣ୍ଡେ ମିଳିବ, ହେଲେ ସମୟ ଗଡୁଛି କିନ୍ତୁ ଘର ମିଳୁନି। ଗାଁର ଅନେକ ପରିବାର ମନରେ ସମାନ ପ୍ରଶ୍ନ । ଆବାସ ଯୋଜନା କାହା ପାଇଁ ? । ସେପଟେ ସର୍ଭେରେ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ ସହ ୱେଟିଂ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ସେପଟେ ଜିଲ୍ଲାକୁ ଟାର୍ଗେଟ ଆସିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉ କି ଅନ୍ତ୍ୟୋଦ୍ବୟ ଗୃହ ଯୋଜନାରେ ସାମିଲ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Latest Posts

Don't Miss