spot_img

Latest Posts

କିଛି ଘଣ୍ଟାରେ ମିଳିପାରେ ‘ଖୁସି ଖବର’, କହିଲେ ମାର୍କୋ ରୁବିଓ

ନନ୍ଦିଘୋଷ ବ୍ୟୁରୋ: ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ପ୍ରବଳ ତିକ୍ତତା ମଧ୍ୟରେ ଏକ ବଡ କୂଟନୈତିକ ସମାଧାନର ସଙ୍କେତ ମିଳିଛି। ଭାରତ ଗସ୍ତରେ ଥିବାର ଆମେରିକା ବିଦେଶ ମନ୍ତ୍ରୀ ମୋର୍କୋ ରୁବିଓ ଏକ ବଡ ବୟାନ ଦେଇ କହିଛନ୍ତି ଯେ, ଆସନ୍ତା କିଛି ଘଣ୍ଟା ମଧ୍ୟରେ ବିଶ୍ବକୁ ଏକ ଭଲ ଖବର ମିଳିପାରେ । ଅନୁମାନ କରାଯାଉଛି ଯେ, ଏହି ସମ୍ଭାବ୍ୟ ଚୁକ୍ତି ୬୦ ଦିନର ଯୁଦ୍ଧବିରତି ସମ୍ପ୍ରସାରଣ ଏବଂ ହୋର୍ମୁଜ୍ କୁ ପୁନର୍ବାର ଖୋଲିବା ସହିତ ଜଡିତ ହୋଇପାରେ ।

ଖୁସି ଖବର ଆସିବା ନେଇ ରୁବିଓଙ୍କ ଦାବି :

ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମାର୍କୋ ରୁବିଓ କହିଛନ୍ତି, ମୋତେ ଲାଗୁଛି ଆସନ୍ତା କିଛି ଘଣ୍ଟା ମଧ୍ୟରେ ସାରା ବିଶ୍ୱକୁ ଏକ ଶୁଭ ଖବର ମିଳିବ। ତେବେ ଯଦିଓ ସେ ଚୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆଣିନାହାନ୍ତି, ତଥାପି ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ଧରଣର ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ପଷ୍ଟ ଜଣାପଡୁଛି।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଦାବି କରିଥିଲେ ଯେ, ୱାଶିଂଟନ ୬୦ ଦିନର ଯୁଦ୍ଧବିରତି ଚୁକ୍ତିର ଅତି ନିକଟତର ହୋଇଛି। ଆମେରିକା, ଇରାନ ଏବଂ ଅନ୍ୟ କେତେକ ଦେଶ ମଧ୍ୟରେ ବ୍ୟାପକ ସହମତି ପ୍ରକାଶ ପାଇଛି, ଯାହାକୁ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ।

ତେବେ ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ହୋର୍ମୁଜ୍ ଷ୍ଟ୍ରେଟ୍’କୁ ପୁଣି ଖୋଲାଯିବ, ଯାହାକୁ ସଂଘର୍ଷ ଯୋଗୁ ଇରାନ ବନ୍ଦ କରିଦେଇଥିଲା। ଏହି ଚୁକ୍ତି ବଦଳରେ ଇରାନକୁ ତେଲ ବିକ୍ରି କରିବାକୁ ଅନୁମତି ମିଳିପାରେ। ଅପରପକ୍ଷରେ, ଆମେରିକା ତାର ନୌସେନା ଅବରୋଧ ହଟାଉ, ବିଦେଶୀ ସମ୍ପତ୍ତିକୁ ମୁକ୍ତ କରୁ ଏବଂ ତେଲ ରପ୍ତାନି ଉପରୁ କଟକଣା ପ୍ରତ୍ୟାହାର କରୁ ବୋଲି ଇରାନ ଦାବି କରିଛି। ତେବେ ରୁବିଓ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା କୌଣସି ପରିସ୍ଥିତିରେ ବି ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦେବ ନାହିଁ।

ଇଣ୍ଡିଆ ଫାଷ୍ଟ’ ନୀତି ଉପରେ ଭାରତର ଗୁରୁତ୍ୱ :

ଏହି ବିବାଦ ମଧ୍ୟରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର। ସେ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ‘ଆମେରିକା ଫାଷ୍ଟ’ ନୀତିରେ କାମ କରୁଥିବା ବେଳେ ଭାରତ ‘ଇଣ୍ଡିଆ ଫାଷ୍ଟ’ ନୀତିକୁ ପ୍ରାଥମିକତା ଦିଏ। ଭାରତ ନିଜର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ଶସ୍ତା ଉତ୍ସରୁ ଅଶୋଧିତ ତେଲ କିଣିବା ଜାରି ରଖିବ।

Latest Posts

Don't Miss