spot_img

Latest Posts

ମୌସୁମୀ ଆସିବା ପୂର୍ବରୁ ବ୍ରହ୍ମପୁରରେ ବନ୍ୟା ଆଶଙ୍କା

ବ୍ରହ୍ମପୁର: ଆଉ ମାସକ ପରେ ରାଜ୍ୟକୁ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ହେଲେ ଏହାପୂର୍ବରୁ ବ୍ରହ୍ମପୁର ମହାନଗର ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସହର ଦେଇ ଯାଇଥିବା ମୁଖ୍ୟ ବାହାନ ନାଳର ନିୟମିତ ସଫେଇ ହେଉନଥିବାରୁ ପୁଣି ଥରେ ତଳିଆ ଅଞ୍ଚଳରେ ପ୍ଲାସଫ୍ଲଡ୍ ବା କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆସିକା ରୋଡ୍‌ଠାରୁ ଗୋପାଳପୁର ଜଙ୍କସନ ପର୍ଯ୍ୟନ୍ତ ପ୍ରାୟ ୧୧ କିଲୋମିଟର ଏବଂ ସମୁଦାୟ ୩୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ନାଳ ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଲାଣି। ନାଳ ଭିତରେ ଗଛ, ବୁଦା ଓ ପଙ୍କ ଜମି ରହିବା ସହ ବେଆଇନ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ସାମାନ୍ୟ ବର୍ଷା ହେଲେ ନୀଳାଚଳ ନଗର, ଗଜପତି ନଗର, ହର୍ଷ ବିହାର, ବିଜୟ ବିହାର ସମେତ ନାଳର ବାମ କୂଳରେ ଥିବା ସମସ୍ତ ହାଉସିଂ କଲୋନୀର ଘର ଭିତରକୁ ପାଣି ପଶିଯାଉଛି।

ନାଳର ପୁନରୁଦ୍ଧାର ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୨୨ କୋଟି ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଡ୍ରେନେଜ ବିଭାଗ ପକ୍ଷରୁ ସହର ଭିତରେ ୬ କିଲୋମିଟର ପର୍ଯ୍ୟନ୍ତ ନାଳ ପାର୍ଶ୍ୱରେ ପାଚେରି ନିର୍ମାଣ ସହ ଶକ୍ତିନଗର, ବାସୁଦେବ ନଗର ଓ ଖୋଡ଼ାସିଙ୍ଗି ଭଳି ଅଞ୍ଚଳରେ ୬ଟି ସେତୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ହେଲେ ନିୟମିତ ସଫେଇ ନହେବାରୁ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନାହିଁ। ବିଭିନ୍ନ ସମୟରେ ସଫେଇ ପାଇଁ ଆସୁଥିବା ସରକାରୀ ଅର୍ଥ କୁଆଡ଼େ ଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେଣୁ ମୌସୁମୀ ପୂର୍ବରୁ ନାଳର ଉଭୟ ପାର୍ଶ୍ଵରେ କଂକ୍ରିଟ୍ କାନ୍ଥ ନିର୍ମାଣ ଏବଂ ସମ୍ପୂର୍ଣ୍ଣ ସଫେଇ ପାଇଁ ଦାବି କରିଛନ୍ତି ସହରବାସୀ।

Latest Posts

Don't Miss