spot_img

Latest Posts

ଓଡ଼ିଶା ସୀମାରେ ଆନ୍ଧ୍ରର ଅନୁପ୍ରବେଶ; ପ୍ରଶାସନର ଅବହେଳା ଯୋଗୁଁ ଆନ୍ଧ୍ର ଆଡ଼କୁ ଢଳୁଛନ୍ତି ସୀମାନ୍ତବାସୀ!

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ କିଛି ନୂଆ କଥା ନୁହେଁ। କେତେବେଳେ ସ୍ୱାସ୍ଥ୍ୟସେବା ତ ଆଉ କେତେବେଳେ ଆଧାର କାର୍ଡ ବନାଇ ଓଡ଼ିଶା ସୀମାନ୍ତବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି ଆନ୍ଧ୍ର। ଏବେ ପୁଣି ଥରେ ସୀମାନ୍ତରେ ଆନ୍ଧ୍ର ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଓଡ଼ିଶା ମାଟିରେ ଅବାଧ ପ୍ରବେଶ କରି ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଥିବା ବେଳେ ରାୟଗଡ଼ା ପ୍ରଶାସନ କେବଳ କାମ ବନ୍ଦ କରି ନିଜ ଦାୟିତ୍ୱ ସାରିଦେଇଛି। ଫଳରେ ସରକାରୀ ଅବହେଳାର ଶିକାର ହୋଇ ଏବେ ଆନ୍ଧ୍ର ଆଡ଼କୁ ଢଳୁଛନ୍ତି ଓଡ଼ିଶାର ସୀମାନ୍ତବାସୀ।

ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଏମ୍ପାଲୱାଲାସା ଗାଁ। ଏହି ଗ୍ରାମଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି ଆନ୍ଧ୍ରର ପଡୁଗୁୱାଲସା ଗାଁ। ଓଡ଼ିଶା ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଆନ୍ଧ୍ର ସରକାର ସୀମା ପାର ହୋଇ ଏମ୍ପାଲୱାଲାସାଠାରେ ପ୍ରାୟ ୪୫୦ ମିଟର ପିଚୁ ରାସ୍ତା ନିର୍ମାଣ କରିଦେଇଛନ୍ତି। ଏହି ବେଆଇନ ନିର୍ମାଣ ସମ୍ପର୍କରେ ଜାଣିବା ପରେ ରାୟଗଡ଼ା ପ୍ରଶାସନ ଗତ ୨ ବର୍ଷ ତଳେ ଆନ୍ଧ୍ରର ଏହି ରାସ୍ତା କାମକୁ ଅଧାରୁ ବନ୍ଦ ତ କରିଦେଲେ, ହେଲେ ନିଜେ ସେଠାରେ ପକ୍କା ରାସ୍ତାଟିଏ ନିର୍ମାଣ କଲାନାହିଁ।

ସୀମାରେ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳିଛି, କାମ କିଛି ହୋଇନାହିଁ। ସାମାନ୍ୟ ରାସ୍ତାଟିଏ ନଥିବାରୁ ବର୍ଷା ଦିନେ ଏମ୍ପାଲୱାଲାସା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ଏଭଳି ଅବହେଳାରେ ଅତିଷ୍ଠ ହୋଇ ଗ୍ରାମବାସୀ ଏବେ ଚେତାବନୀ ଦେଇଛନ୍ତି ଯେ, ଯଦି ଓଡ଼ିଶା ସରକାର ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦେଇପାରୁନାହାଁନ୍ତି, ତେବେ ସେମାନଙ୍କୁ ଆନ୍ଧ୍ରରେ ମିଶାଇ ଦିଆଯାଉ। ଆନ୍ଧ୍ର ସରକାର ରାସ୍ତା କରି ଦେଉଥିବା ବେଳେ ଓଡ଼ିଶା ପ୍ରଶାସନ କାମ ବନ୍ଦ କରିଦେଲା, ହେଲେ ନିଜେ ରାସ୍ତା କରୁନାହିଁ କି ଆନ୍ଧ୍ରକୁ ବି କରିବାକୁ ଦେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ପ୍ରଶାସନ ସୀମାନ୍ତବାସୀଙ୍କୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତି ଯେମିତିଥିଲା ସେମିତି ଅଛି । ଓଡ଼ିଶା ସରକାରଙ୍କ ଏହି ଢିଲା ନୀତି ଯୋଗୁଁ ସୀମାନ୍ତରେ ବସବାସ କରୁଥିବା ଲୋକେ ଏବେ ଧୀରେ ଧୀରେ ଆନ୍ଧ୍ର ଆଡ଼କୁ ଢଳିବାକୁ ଆରମ୍ଭ କଲେଣି। ଅନ୍ୟପଟେ ଏହି ସମ୍ପର୍କରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନବୀନ ନାଏକ କହିଛନ୍ତି ଯେ ବିଷୟଟି ଉପରେ ନଜର ରହିଛି। ସ୍ଥିତି ଅନୁଧ୍ୟାନ କରାଯାଇ ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଏବଂ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ସହ ରାସ୍ତା ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।

 

Latest Posts

Don't Miss