ଭୁବନେଶ୍ବର: ସାରା ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଅନୁଗୁଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରି ଲେଖାଏଁ ଥିବା ବେଳେ ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁର ଓ ତାଳଚେରରେ ୪୧, ହୀରାକୁଦରେ ୪୦.୫, ନୟାଗଡ଼ରେ ୪୦.୪, ବଲାଙ୍ଗୀରରେ ୪୦.୨, ଖୋର୍ଦ୍ଧା ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ଲେଖାଏଁ ରହିଥିଲା। ଅଧିକାଂଶ ସହରର ତାପମାତ୍ରା ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହିଥିଲା।
ଆହୁରି ୫ ଦିନ କଲବଲ କରିବ ତାତି। ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନରେ ତାତି ବଢିବା ସହ ଗୁଳୁଗୁଳି ଓ ଗରମ ଅନୁଭବ ହେବ l ସେହିପରି ଅପରାହ୍ନ ଓ ରାତିରେ କାଳବୈଶାଖୀ ସମ୍ଭାବନା ରହିଛି l ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ପାଇଁ 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି l
ସେପଟେ ଏ ବର୍ଷ ମୌସୁମୀର ଆଗମନ ଶୀଘ୍ର ହେଉଛି। ଆଗୁଆ ମୋୖସୁମୀ ବାୟୁ ଦକ୍ଷିଣ ଭାରତରେ ପହଞ୍ଚିଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସହିତ ଜଡ଼ିତ ଉପର ସ୍ତରର ପୂର୍ବ ବାୟୁ ବର୍ତ୍ତମାନ କର୍ଣ୍ଣାଟକ, କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆରବ ସାଗରରେ ବ୍ୟାପିଛି। ଏହା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୌସୁମୀକୁ ଆଗକୁ ବଢିବାରେ ସାହାଯ୍ୟ କରିବ।
ର କହିବା ଅନୁସାରେ ଏବର୍ଷ ମୌସୁମୀ ଶୀଘ୍ର ଆସୁଛି। ମୌସୁମୀ ଋତୁରେ ପବନର ଏକ ଶକ୍ତିଶାଳୀ ସ୍ରୋତ ୧୩ରୁ ୧୪ କିଲୋମିଟର ଉପରେ ପୂର୍ବରୁ ପଶ୍ଚିମ ଆଡକୁ ପ୍ରବାହିତ ହେଉଛି। ବୈଜ୍ଞାନିକମାନେ ଏହାକୁ ଟ୍ରପିକାଲ ଇଷ୍ଟରଲି ଜେଟ୍ (ଟିଇଜେ) କହନ୍ତି। ଯେତେବେଳେ ଟିଇଜେ ସକ୍ରିୟ ହୁଏ, ଉପର ସ୍ତରରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ସବୁଆଡ଼େ ବ୍ୟାପିଯାଏ। ଏକ ଶକ୍ତିଶାଳୀ ଟିଇଜେ ଭଲ ମୌସୁମୀ ବର୍ଷା ସୃଷ୍ଟି କରେ। ଏହା ମଧ୍ୟ ବଙ୍ଗୋପସାଗର ଉପରେ ଲଘୁଚାପ ଓ ଅବପାତ ସୃଷ୍ଟି କରେ। ଏହା ଉତ୍ତର ଆଡ଼କୁ ଗତି କରି ବ୍ୟାପକ ଅଞ୍ଚଳରେ ବର୍ଷା କରାଏ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ମେ ୨୬ରେ କେରଳରେ ମୌସୁମୀ ଆରମ୍ଭ ହେବ, ଯାହା ଜୁନ୍ ୧ର ଦୀର୍ଘକାଳୀନ ହାରାହାରିଠାରୁ ପ୍ରାୟ ଏକ ସପ୍ତାହ ପୂର୍ବରୁ ଘଟିବାକୁ ଯାଉଛି।