ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ବିପର୍ଯ୍ୟୟ। ଭବାନୀପୁର ଆସନରୁ ହାରିଲେ ମମତା ବାନାର୍ଜୀ । ୧୫ ହଜାର ୧୧୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗରେ ଟିଏମସି ଗଡ଼ ଭବାନୀପୁରରେ ରୋମାଞ୍ଚକର ହୋଇଥିଲା ଲଢ଼େଇ। ଗଣତି ଆରମ୍ଭରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ଆଗୁଆ ଥିବା ବେଳେ, ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୧୫ ହଜାରରୁ ଅଧିକ ଭୋଟରେ ଲିଡକୁ ଚାଲି ଆସିଥିଲେ। ୧୩ ରାଉଣ୍ଡ ଯାଏ ମମତା ଲିଡ ବଜାୟ ରଖିଥିଲେ। ଏହାପରେ ହଠାତ ଗଣତି ବନ୍ଦ ହୋଇ ଯାଇଥିଲା। ପ୍ରାୟ ୨ ଘଣ୍ଟା ପରେ ଗଣତି ଆରମ୍ଭ ହେବା କ୍ଷଣୀ ମମତାଙ୍କ ଲିଡ ଗ୍ୟାପ କମିବାରେ ଲାଗିଥିଲା। ପ୍ରଥମେ ୫ ହଜାର ଓ ପରେ ଏହା ୩ ହଜାରକୁ ଖସିଥିଲା। ଶେଷରେ ଶୁଭେନ୍ଦୁ ଅଧିକାରୀ ୧୫ ହଜାର ୧୧୪ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ପଶ୍ଚିମବଙ୍ଗ ରାଜନୀତି ସହ ଟିଏମସିକୁ ଝଟକା ଦେଇଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ବେଳେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଓ ମମତାଙ୍କ ମଧ୍ୟରେ ଏଭଳି ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ଶୁଭେନ୍ଦୁ ୨ ହଜାରରୁ କମ ଭୋଟରେ ବିଜୟ ହାସଲ କରିଥିଲେ।

