ୱାଶିଂଟନ ହିଲଟନ ହୋଟେଲରେ ଗୁଳିକାଣ୍ଡ। ହ୍ବାଇଟ ହାଉସ କରସ୍ପଣ୍ଡେଣ୍ଟମାନଙ୍କ ବାର୍ଷିକ ଭୋଜିସଭାରେ ଅଘଟଣ। ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସମେତ ବହୁ ତୁଙ୍ଗ ନେତାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଡୋନାଲଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିା ସୂଚନା ମିଳିଛି। ଏପରିକି କିଛି ଅତିଥି ନିଜକୁ ବଞ୍ଚାଇବା ଲାଗି ଟେବୁଲ ତଳେ ଛପିଥିବା ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଥିବା ରବର୍ଟ ଏଫ. କେନେଡି ଜୁନିଅର, ଡଗ୍ ବୁରଗମ, ମାର୍କୋ ରୁବିଓଙ୍କୁ ବି ତୁରନ୍ତ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ହୋଟେଲକୁ ଖାଲି କରାଯାଇଛି। ଘଟଣା ପରେ ସିକ୍ରେଟ ସର୍ଭିସ ଓ ଅନ୍ୟ ନିରାପତ୍ତା କର୍ମୀ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଜଣେ ସିକ୍ରେଟ ସର୍ଭିସ ଅଫିସରଙ୍କୁ ଗୁଳି ବାଜିଥିଲା। ମାତ୍ର ତାଙ୍କ ବୁଲେଟପ୍ରୁଫ ଜ୍ୟାକେଟ ଥିବାରୁ ସେ ବର୍ତ୍ତି ଯାଇଥିଲା। ଘଟଣାସ୍ଥଳରେ ପ୍ରବଳ ଶବ୍ଦ ହେବାରୁ ସେଠାରେ ଆତଙ୍କ ପ୍ରକାଶ ପାଇଥିଲା। କିଛି ଅତିଥି ବଲରୁମରେ ବି ରହିଯାଇଥିଲେ। ହ୍ବାଇଟ ହାଉସ କରସ୍ପଣ୍ଟେଣ୍ଟସ ଆସୋସିଏସନ ପକ୍ଷରୁ ଏହି ଭୋଜିର ଆୟୋଜନ ହୋଇଥିଲା। ଏହି ଉତ୍ସବରେ ଡେପୁଟି ଚିଫ ଅଫ ଷ୍ଟାଫ ଷ୍ଟିଫେନ ମିଲର, ପ୍ରତିରକ୍ଷା ସଚିବ ପିଟି ହେଗସେଥ, ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ସମେତ ୨ ହଜାର ୬୦୦ରୁ ଅଧିକ ଅତିଥି ଉପସ୍ଥିତ ଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ଜାରି ରହିଛି। ଘଟଣା ସହ ଜଡ଼ିତ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛି ପୋଲିସ। ସେପଟେ ଗୁଳିକାଣ୍ଡ ଘଟଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଟ୍ରମ୍ପ। ସେ ଏହି ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା କର୍ମୀ ତାଙ୍କ ଜୀବନ ବଞ୍ଚାଇଦେଲେ ବୋଲି କହିଛନ୍ତି। ଏହା ସହ ଗୁଳିକାଣ୍ଡ ଘଟଣା ସହ ଇରାନର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏଫବିଆଇ ନିର୍ଦ୍ଦେଶକ କାଶ୍ ପଟେଲ।

