ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରୁ ବଲାଙ୍ଗୀର ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ପ୍ରବଳ ଉତ୍ତାପ ଅନୁଭୂତ ହେବ । ଏହି ଅଞ୍ଚଳରେ ଦିନର ସର୍ବାଧିକ ତାପମାତ୍ରା ୪୪ ରୁ ୪୫.୫ ଡିଗ୍ରୀ ରହିପାରେ । ଗରମ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ବିଶେଷ କରି ସମ୍ବଲପୁର ଓ ସୁବର୍ଣ୍ଣପୁର ଭଳି ସଂଲଗ୍ନ ଜିଲ୍ଲାରେ ପାଣିପାଗ ସମ୍ପୂର୍ଣ୍ଣ ଶୁଷ୍କ ରହିବ । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ ପାଗ ସାମାନ୍ୟ ଭିନ୍ନ ରହିବ। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩୬ ଡିଗ୍ରୀ ରୁ ୩୯ ଡିଗ୍ରୀ ମଧ୍ୟରେ ରହିଲେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି । ଆଜି ବଜ୍ରପାତ ସହ ହାଲୁକା ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ମଧ୍ୟରେ ରହିବ। ଆକାଶ ମୁଖ୍ୟତଃ ନିର୍ମଳ ରହିବା ସହ ପ୍ରଖର ସୂର୍ଯ୍ୟକିରଣ ଅନୁଭୂତ ହେବ । ଅନ୍ୟପଟେ ଉପକୂଳ ଓଡ଼ିଶା ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୮ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । ଏହି ଅଞ୍ଚଳର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁ ଅସହ୍ୟ ଗୁଳୁଗୁଳି ଜାରି ରହିବ । ପ୍ରବଳ ଖରା ଓ ବାଷ୍ପୀଭବନ ହାର ଅଧିକ ଥିବାରୁ ନିଜ ଫସଲରେ ହାଲୁକା ଜଳସେଚନ କରିବାକୁ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

