ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଏକମାସ ବିତିଥିଲେ ସୁଦ୍ଧା ସମାଧାନ ନେଇ କୌଣସି ରାସ୍ତା ବାହାରିପାରୁ ନାହିଁ । ଏହାରି ଭିତରେ ନିଜ ଦେଶରେ ବିରୋଧର ଶିକାର ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପାରମ୍ପରିକ ସହଯୋଗୀ ମଧ୍ଯ ଖୋଲାଖୋଲି ସମର୍ଥନ ଦେଉ ନାହାନ୍ତି । ତେଣୁ ଇରାନକୁ ଧ୍ବଂସ କରିବାକୁ ଚେତାବନୀ ଦେଉଥିବା ଟ୍ରମ୍ପଙ୍କ ସ୍ବର ଦିନକୁ ଦିନ ବଦଳିବାରେ ଲାଗିଛି । ଯୁଦ୍ଧ ବିରତି ନେଇ ଆଲୋଚନା ଜାରି ରହିଥିବା ଟ୍ରମ୍ପ କହୁଥିବାବେଳେ କୌଣସି ଆଲୋଚନା ହୋଇ ନଥିବା ସ୍ପଷ୍ଟ କରିଛି ତେହେରାନ । ଏଥିରୁ ସ୍ପଷ୍ଟ ହେଉଛି ଏହି ଭୟଙ୍କର ଯୁଦ୍ଧ ଭିତରେ ଏକା ହୋଇଯାଇଛନ୍ତି ଉଭୟ ଆମେରିକା ଓ ଇସ୍ରାଏଲ । ୨୮ ଫେବୃଆରୀରୁ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ରଖିଥିବା ଦୁଇଦେଶର ସ୍ଥିତି ଏବେ ବଦଳିବାରେ ଲାଗିଥିବା ନଜରକୁ ଆସିଛି । ତଥାପି ମୁହଁଟାଣ ରଖିବାକୁ ଗୋଟିଏ ପରେ ଗୋଟିଏ ଚେତାବନୀ ଦେଇ ଚାଲିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସବୁ ଚେତାବନୀର କଡ଼ା ଜବାବ ଦେଇଛି ଇରାନ । ଇରାନ ପକ୍ଷରୁ ଇରାକ ଉପରେ ବଡ଼ ଆକ୍ରମଣ କରାଯାଇଛି ।ସୁଲେମାନୀ ସ୍ଥିତ ଅମେରିକା ୟୁନିଭର୍ସିଟିକୁ ଟାର୍ଗେଟ କରିଛି ତେହେରାନ । ସେପଟେ ୨୪ ଘଣ୍ଟା ଭିତେର ଇସ୍ରାଏଲ ଉପରେ ୪୩ ହମଲା କରାଯାଇଥିବା ଦାବି କରିଛି ହିଜବୁଲ୍ଲା । ସେପଟେ ବର୍ତ୍ତମାନ ସୁଦ୍ଧା ଇରାନର ୧୧ ହଜାର ସ୍ଥାନକୁ ମିଳିତ ସେନା ଟାର୍ଗେଟ କରିଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଆମରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି, ଇରାନର ମିସାଇଲ ଓ ଡ୍ରୋନ ଉତ୍ପାଦନ କେନ୍ଦ୍ର ପୂରା ନଷ୍ଟ କରିବାକୁ ଚାଲିଛି ଯୋଜନା । ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଆମେରିକୀୟ ସେନା ମୁତୟନ ହୋଇଛନ୍ତି । ଇରାନ ଯଦି ହର୍ମୁଜ ପ୍ରଣାଳୀ ଉପରେ କଟକଣା ବନ୍ଦ ନକରେ ତେବେ ସ୍ଥିତି ଭୟଙ୍କର ହେବ । ଇସ୍ରାଏଲ ଓ ଆମେରିକା ଇରାନ ରାଜଧାନୀ ତେହେରାନ ସମେତ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଗତକାଲି ରାତି ସାରା ଆକ୍ରମଣ କରିଛନ୍ତି। ଆମେରିକା ଏବେ ସ୍ଥଳଯୁଦ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇବା ସହ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକରେ ୫୭ ହଜାର ଆମେରିକୀୟ ସୈନ୍ୟ ଠୁଳ କଲାଣି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଖୁବ୍ଶୀଘ୍ର ଯୁଦ୍ଧ ଶେଷ ପାଇଁ ଇରାନ ଓ ଆମେରିକା ମଧ୍ୟରେ କୌଣସି ଚୁକ୍ତି ନ ହୁଏ ତେବେ ଆମେ ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ଖାର୍ଗ ଦ୍ବୀପକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବୁ ।

