ସୋର : ଗୋରୁ ଗାଡି ଅଟକାଇବାକୁ ଯାଇ ଜଣେ ମୃତ ଜଣେ ଗୁରୁତର l ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଗୋସୁରକ୍ଷା ବାହିନୀର ଯୁବକ ଗାଡିକୁ ଅଟକାଇବା ପାଇଁ ପିଛା କରିଥିଲେ। ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଥାନା କସବା ଜୟପୁର ପଞ୍ଚାୟତ ଅଳସୁଁଆ ଗ୍ରାମର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡିକୁ ପିଛା କରିଥିଲେ । ଗୋରୁ ବୋଝେଇ ଗାଡିଟି ଖନ୍ତାପଡା ନିକଟ ପଣପଣା ନିକଟରେ ବାଇକରେ ଥିବା ୨ ଜଣ ଯୁବକଙ୍କୁ ଧକା ଦେଇ ଫେରାର ହୋଇଯାଉଥିବା ବେଳେ ଖନ୍ତାପଡା ପୋଲିସ ଗାଡିକୁ ଜବତ କରିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଓ ଲମ୍ବୋଦରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

