ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଲୋକସଭା ଆସନ ସଂଖ୍ୟା। ବଢ଼ିବ ଓଡ଼ିଶା ବିଧାନସଭା ନିର୍ବାଚନମଣ୍ଡଳୀ। ସୀମା ପୁନନିଃର୍ଦ୍ଧାରଣ ପାଇଁ କମିଶନ ଗଠନ କରିବାକୁ ସଜବାଜ ହେଲେଣି କେନ୍ଦ୍ର ସରକାର। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଂସଦର ଚଳିତ ଅଧିବେଶରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ କମିଶନ ଗଠନ ନେଇ ଆଣିବାକୁ ଯାଉଛନ୍ତି ସମ୍ବିଧାନ ସଂଶୋଧନ ବିଲ। ଏପରି ହେଲେ ଲୋକସଭାରେ ଆସନ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ହେବ। ଏବେ ସମ୍ବିଧାନ ପ୍ରଦତ୍ତ ଲୋକସଭା ଆସନ ସଂଖ୍ୟା ୫୫୦ ରହିଛି। ଆସନ ସଂଖ୍ୟା ହେଲେ ୭୦୦ରୁ ଅଧିକ ଆସନ ସୃଷ୍ଟି ହେବ। ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୫୦ ପ୍ରତିଶତ ବଢ଼ିବ ଓଡ଼ିଶା ବିଧାନସଭା ଆସନ ସଂଖ୍ୟା। ଓଡ଼ିଶା ବିଧାନସଭା ଆସନ ସଂଖ୍ୟା ୧୪୭ରୁ ବଢ଼ି ହେବ ୨୨୦ଟି ଆସନ। ଜନସଂଖ୍ୟାକୁ ବିଚାରକୁ ନେଲେ ଆସନ ସଂଖ୍ୟା ପରିବର୍ତ୍ତନରେ ୧୦ ପ୍ରତିଶତ ଏପଟସେପଟ ହୋଇପାରେ।
ଏକ ଦେଶ ଏକ ନିର୍ବାଚନ ନେଇ କେନ୍ଦ୍ର ସରକାର ବିଲ ପାରିତ କଲାପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଉଚ୍ଚସ୍ତରୀୟ ଅନୁଧ୍ଯାନ କମିଟି ଗଠନ କରିଥଲେ। କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ସୀମା ପୁନଃନିର୍ଦ୍ଧାରଣ ହେଲେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିବ। ଏହାସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରୁ ସେହି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ରହିବ ୩୩ ପ୍ରତିଶତ ଆସନ। କେଉଁ ରାଜ୍ୟରେ କେତେ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ସେ ନେଇ ଲଟେରୀ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ମାସରୁ ଆରମ୍ଭ ହେବ ଜନଗଣନା। ସୀମା ପୁନଃନିର୍ଦ୍ଧାରଣ ବେଳେ ଜନସଂଖ୍ୟା ଗଣନା ଜାରି ରହିବ । କେନ୍ଦ୍ର ସରକାର ଚଳିତ ଅଧିବେଶନରେ ଏହି ବିଲ ଆଣି ଆସନ୍ତା ଜୁନ ମାସରୁ ସୀମା ପୁନଃନିର୍ଦ୍ଧାରଣ କମିଶନ ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

