ମିଥ୍ୟା ସତ୍ୟପାଠ : ବଢିବାରେ ଲାଗିଛି କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଅଡୁଆ
ନନ୍ଦିଘୋଷ ବ୍ୟୁରୋ: ବଢୁଛି କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସମସ୍ୟା । ବିଧାୟକଙ୍କ ବିରୋଧରେ ଆସିଛି ମିଥ୍ୟା ସତ୍ୟପାଠ ଅଭିଯୋଗ । ବିଧାୟକଙ୍କ ଗୋଆରେ ରହିଛି ତିନିଟି ସମ୍ପତ୍ତି। ହେଲେ ସତ୍ୟପାଠରେ ଦୁଇଟି ଦେଖାଇଥିବା ବେଳେ ଗୋଟିଏ ଲୁଚାଇଛନ୍ତି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କବିସୂର୍ଯ୍ୟନଗରର ଜଣେ ଭୋଟର ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏଭଳି ଗୁରୁତର ଅଭିଯୋଗର ଉତ୍ତର ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦୁଇ ଦୁଇ ଥର ଚିଠି ଯିବା ପରେ ବି ବିଧାୟକଙ୍କ ଖାତିର ନାହିଁ । ବିଧାୟକ କହୁଛନ୍ତି, ଏସବୁ ମୁଁ କିଛି ଜାଣିନାହିଁ । ମୁଁ କୌଣସି ଚିଠି ପାଇନାହିଁ ।
ମିଥ୍ୟା ସତ୍ୟପାଠ ଅଭିଯୋଗରେ ଛନ୍ଦି ହୋଇଛନ୍ତି ବିଧାୟକ । ସତ୍ୟପାଠରେ ସମ୍ପତ୍ତି ଲୁଚାଇଥିବା ଅଭିଯୋଗ । ଅଭିଯୋଗର ଉତ୍ତର ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜବାବ ତଲବ । ଦୁଇ ଦୁଇ ଥର ଚିଠି ପରେ ନିରୁତ୍ତର ବିଧାୟକ । କହୁଛନ୍ତି, ଚିଠି ମିଳିନାହିଁ । ଅଭିଯୋଗକାରୀ ହେଉଛନ୍ତି କବିସୂର୍ଯ୍ୟନଗର ବେଗୁନିଆପଡ଼ା ବ୍ଲକର ବାସିନ୍ଦା ବିଶ୍ବାମିତ୍ର ତ୍ରିପାଠୀ । ଅଭିଯୋଗ ହେଉଛି, ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଗୋଆରେ ରହିଛି ତିନିଟି ପ୍ରପର୍ଟି । ୨୦୨୪ ନିର୍ବାଚନୀ ସତ୍ୟପାଠରେ ପ୍ରତାପ ନାୟକ ଦୁଇଟି ପ୍ରପର୍ଟି କଥା ଦର୍ଶାଇଥିବା ବେଳେ ଗୋଟିଏ ପ୍ରପର୍ଟି ବବାଦରେ ତଥ୍ୟ ଲୁଚାଇଛନ୍ତି । ଗୋଆର ଭର୍ଣ୍ଣା ଗାଁର ସର୍ଭେ ନମ୍ବର ୨୩/୧-ଏ, ପ୍ଲଟ ନମ୍ବର ୬ର ମାଲିକ ହେଉଛନ୍ତି ପ୍ରତାପ ଚନ୍ଦ୍ର ନାୟକ । ୨୦୦୭ରେ ଏହି ଜାଗା କିଣିଥିଲେ ବିଧାୟକ । ବିଧାୟକଙ୍କ ମାଲିକାନାରେ ଥିବା ଲକି ଏଣ୍ଟପ୍ରାଇଜର୍ସ ନାମରେ ଏହି ସମ୍ପତ୍ତି ରହିଛି । ଏହି ଜାଗାରେ ଚାରି ମହଲା କୋଠା ବି ରହିଛି । ଏହି କୋଠା ନିର୍ମାଣ ବି ବେଆଇନ । ହେଲେ ଏହି ସମ୍ପତ୍ତି ବାବଦରେ ବିଧାୟକ ସତ୍ୟପାଠରେ କିଛି ବି ଦର୍ଶାଇନାହାନ୍ତି ବୋଲି ଅଭିଯୋଗ ହୋଇଛି ।
ମିଥ୍ୟା ସତ୍ୟପାଠ ଅଭିଯୋଗ ପହଞ୍ଚିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ୨୨ ଜୁଲାଇ ୨୦୨୫ରେ । ଅଭିଯୋଗକାରୀ ସତ୍ୟପାଠ ଜରିଆରେ ଅଭିଯୋଗ କଲେ ୩୦ ଅଗଷ୍ଟ ୨୦୨୫ରେ । ଅଭିଯୋଗର ଜବାବ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଉପ ସଚିବ ଉମା ଶଙ୍କର ମହାପାତ୍ର ବିଧାୟକଙ୍କୁ ଚିଠି ଲେଖିଲେ ୨୬ ନଭେମ୍ବରରେ । ହେଲେ କିଛି ଉତ୍ତର ମିଳିଲା ନାହିଁ । ପୁଣି ଥରେ ଯୁଗ୍ମ ସଚିବ ବିଧାୟକଙ୍କୁ ଚିଠି ଲେଖି ମିଥ୍ୟା ସତ୍ୟପାଠ ଅଭିଯୋଗ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଉପରେ ତୁରନ୍ତ ଜବାବ ରଖିବାକୁ କହିଲେ ୧୦ ଫେବୃଆରୀ ୨୦୨୬ରେ । ନିର୍ବାଚନୀ ସତ୍ୟପାଠରେ ବିଧାୟକ ଦର୍ଶାଇଥିବା ବୁଗୁଡ଼ା ଠିକଣାରେ ନିର୍ବାଚନ ଅଧିକାରୀ ଚିଠି ପଠାଇବା ସହ ତାଙ୍କ ବ୍ୟକ୍ତିଗତ ମେଲ୍ ଆଇଡ଼ିକୁ ଅଭିଯୋଗ ପଠାଇବା ସହ ଉତ୍ତର ପାଇଁ କହିଥିଲେ । ହେଲେ ଉତ୍ତର ଆସିଲା ନାହିଁ ।
ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଆମେ ପ୍ରତିକ୍ରିୟା ପାଇଁ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲୁ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ବିଧାୟକ ପ୍ରଥମେ ଏହାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିବା ସହ କିଛି ଜାଣିନାହିଁ ବୋଲି କହିଲେ । ହେଲେ ସିଇଓଙ୍କ ଚିଠି ଦେଖାଇବା ପରେ କହିଲେ, ବୁଗୁଡ଼ା ଠିକଣାକୁ ଯାଇଥିବ ବୋଧେ, ମୋତେ କିଛି ଚିଠି ମିଳିନାହିଁ ।
ବିଧାୟକଙ୍କ ଉତ୍ତରରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଏଭଳି ଅଭିଯୋଗର ଉତ୍ତର ତାଙ୍କ ପାଖରେ ନାହିଁ । ମିଥ୍ୟା ସତ୍ୟପାଠ ଅଭିଯୋଗରେ ଫସିବାକୁ ବି ଚାହୁଁନାହାନ୍ତି ନବାଗତ ବିଧାୟକ । ସ୍ବଚ୍ଛ ନୀତି, ସ୍ବଚ୍ଛ ନେତା ବ୍ୟାନର ଥିବା ବିଜେପିରୁ ନିର୍ବାଚିତ ହୋଇ ବି ସତକୁ ସାମନା କରିବାକୁ କାହିଁକି ଡରୁଛନ୍ତି ବିଧାୟକ, ତାକୁ ନେଇ ପ୍ରଶ୍ନ ଉଠିଛି ।

