ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଋଣ ବିମାଦ ସହ ଜଡ଼ିତ ମାମଲାରେ ଅଦାଲତରୁ ଜାମିନ୍ ମିଳିଛି । ଆଇନଗତ ପ୍ରକ୍ରିୟା ମଧ୍ୟରେ ଜେଲରୁ ବାହାରିଥିବା ଅଭିନେତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୨ ଦିନ ଜେଲରେ ରହିବା ପରେ ରାଜପାଲ ମୁକୁଳିଛନ୍ତି । ଫେବୃଆରୀ ୧୬ ତାରିଖ ଦିନ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି ସେ ଜେଲରୁ ମୁକୁଳିଛନ୍ତି । ୯ କୋଟି ଋଣ କେସରେ ଦୀର୍ଘ ସମୟ ଧରି ଚାଲିଆସିଥିବା ଆଇନଗତ ବିବାଦ ପରେ ତାଙ୍କୁ ଆଶ୍ବସ୍ତି ମିଳିଛି ।
ଜେଲରୁ ବାହାରକୁ ଆସିବା ପରେ ରାଜପାଲ କହିଛନ୍ତି, ମୁଁ ବଲିଉଡରେ ୩୦ ବର୍ଷ ପୂରଣ କରିଛି । ସାରା ଦେଶବାସୀ ମୋ ସହିତ ରହିଥିବାରୁ ମୁଁ ୨୫୦ ଫିଲ୍ମରେ ଅଭିନୟ କରିପାରିଛି । ପୂରା ବଲିଉଡ ମୋ ସହିତ ଛିଡ଼ା ହୋଇଛନ୍ତି । ଭାରତୀୟ ସିନେମାର ଯୁବକ, ବୃଦ୍ଧ ଓ ଶିଶୁ ମୋର କଲିଜାର ଅଂଶ । ସମସ୍ତେ ମୋ ସହ ରହିଥିଲେ ଓ ଅଛନ୍ତି । ଗତ ୧୦ ବର୍ଷରେ ହାଇକୋର୍ଟ ଯେଉଁ ଆଦେଶ ଦେଇଛନ୍ତି, ତାହାକୁ ମୁଁ ମାନି ଆସିଛି । ଆଗକୁ ଯେଉଁଠି ବି କହିବେ ସେଠି ମୁଁ ହାଜର ହୋଇଯିବି । ସମସ୍ତଙ୍କ ସହ ମୋର ମନୋରଞ୍ଜନର ସମ୍ପର୍କ । ବଲିଉଡ ଯେଉଁପରି ଭାବେ ମୋ ସହ ରହିଛି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ଆପଣ ମୋ ଗୁହାରି ଶୁଣିଥିବାରୁ ଓ ମୋତେ ସୁଯୋଗ ଦେଇଥିବାରୁ ମୁଁ ହାଇକୋର୍ଟଙ୍କୁ ଧନ୍ୟବାଦ ଦେଉଛି ।

