ସୀମା ଟପୁଛନ୍ତି ବାଉନସର । ବାହୁ ବଳରେ ଭାଙ୍ଗୁଛନ୍ତି ଆଇନ । SOP କୁ ମାନୁନାହାନ୍ତି ବାହୁବଳୀ । ସାବାଡ଼ କରିବାକୁ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ । ଭାଲେଣ୍ଟାଇନ ଡେ’ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଖୋଲିବା ଓ ଅବକାରୀ ଟିମକୁ ମାଡ଼ ମାରିବା ଘଟଣାରେ ବାର ମ୍ୟାନେଜରଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା । କିନ୍ତୁ ବାଉନସରଙ୍କ ପାଇଁ ଏଭଳି ଘଟଣା ଘଟିଥିବା ଜାଣିବାକୁ ପାଇଛି ପୋଲିସ । ତେବେ ଏହି ଗୋଟିଏ ଘଟଣା ନୁହେଁ । ସିଆରପି ଛକରେ ଜମି ପଜେସନ ହେଉ କିମ୍ବା ଓପିଡ଼ି ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ଜମି କବ୍ଜା ହେଉ ଅଥବା ପବ୍ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉନସରଙ୍କ କାରନମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ପୂର୍ବରୁ ଆଣିଥିଲା SOP । କିନ୍ତୁ କିଛି ବାର ଓ ପବ୍ ନିୟମ ନମାନି ଅପରାଧିକ ପୃଷ୍ଠଭୂମି ଥିବା ଯୁବକଙ୍କୁ ବାଉଁସର ଭାବେ ନିୟୋଜିତ କରୁଛନ୍ତି । ଯାହାକୁ ନେଇ ଖୁବଶୀଘ୍ର କମିଶନରେଟ ପୋଲିସ ସହ ଆଲୋଚନା କରିବ ଅବକାରୀ ବିଭାଗ।
ବାଉନସର ପ୍ରଥମତଃ PASARA ଅଧୀନରେ ରେଜିଷ୍ଟର ସିକ୍ୟୁରିଟି ସଂସ୍ଥାର ହୋଇଥିବା ଦରକାର। ଚାକିରୀ ପୂର୍ବରୁ ପୋଲିସ ଭେରିଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ। ତାଙ୍କ ନାଁ ରେ ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ, ସେ ନେଇ ତଦନ୍ତ ହେବ । ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର ଏହି ନିୟମର ଖିଲାପ କରେ ତେବେ ତା’ ବିରୋଧରେ ଧାରା ୧୪୪ ବା ବିଏନଏସ୍ ୧୬୩ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରି ଲାଇସେନ୍ସ ରଦ୍ଦ କରିପାରେ ଅବକାରୀ ବିଭାଗ। ରାଜ୍ୟରେ ବର୍ତ୍ତମାନ ୪ ଶହରୁ ଉର୍ଦ୍ଧ୍ବ ରେଜିଷ୍ଟର୍ ଭୁକ୍ତ ସିକ୍ୟୁରୀଟି ସଂସ୍ଥା ରହିଛି । ସେମାନଙ୍କ ସିକ୍ୟୁରୀଟିଙ୍କୁ ବାର ପବ୍ ରେ ନିୟୋଜିତ କରାଇଲେ ହୁଏତ ଏଭଳି ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ ।

