ନିୟମଗିରି ପାହାଡ଼ରୁ ତଳକୁ ଆସିବେ ୮ ପରିବାର
ନନ୍ଦିଘୋଷ ବ୍ୟୁରୋ: ନିୟମଗିରି ପାହାଡ଼ ଛାଡିବେ ୮ ପରିବାର । ସେମାନଙ୍କୁ ତଳକୁ ଅଣା ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ୧୨ ଶହ ଫୁଟ ଚଢ଼ି ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ ଦୁର୍ଗମ କୁନ୍ନାକାଡୁ ଗାଁକୁ ଯାଇଥିଲେ । ସେଠାରେ ୮ଟି ଆଦିବାସୀ ପରିବାର ରହୁଛନ୍ତି । ଗାଁକୁ ରାସ୍ତା ନଥିବା ବେଳେ ନଳକୂଅ ସୁବିଧା କି ବିଜୁଳି ସଂଯୋଗ ନାହଁ । ଝରଣାରୁ ପାଣି ନେବାକୁ ସେମାନଙ୍କୁ ୯୦୦ ଫୁଟ ତଳକୁ ଓହ୍ଲାଇବାକୁ ପଡ଼େ । କାହାର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଲେ ଡାକ୍ତରଖାନା ଯିବାକୁ ଉପାୟ ନାହିଁ । ପୂର୍ବରୁ ବ୍ଲକ ପ୍ରଶାସନ ଲୋକଙ୍କୁ ବୁଝାଇ ସରକାରୀ ସୁବିଧା ଦିଆଯିବ କହିଥିଲେ । ପାହାଡ଼ରୁ ତଳକୁ ଆସିଲେ ସେମାନଙ୍କୁ ସବୁ ସୁବିଧା ମିଳିବ ବୋଲି କହିଥିଲେ । ହେଲେ ଗାଁ, ମାଟି ଓ ଧରନୀ ଦେବୀଙ୍କୁ ଛାଡ଼ି କେଉଁଆଡ଼େ ଯିବୁନାହିଁ ବୋଲି କହିଥିଲେ ଗାଁ ଲୋକ । ପାହାଡ଼ ତଳକୁ ଗଲେ ଧରନୀ ଦେବୀ କୋପ କରିବ ବୋଲି କହି ଆସି ନଥିଲେ । ଏବେ ଗାଁର ୮ ପରିବାରଙ୍କୁ ପାହାଡ଼ ଉପରୁ ତଳକୁ ଆଣିବା ପ୍ରୟାସ ସଫଳ ହୋଇଛି ।

