ଭୁବନେଶ୍ବର : ଓଡ଼ିଶାକୁ ଆସିବେ ବିଶ୍ବର ପ୍ରମୁଖ କମ୍ପାନୀ । ବିଦେଶରେ ଚାକିରି ପାଇଁ ଓଡ଼ିଆ ପିଲାଙ୍କୁ ମିଳିବ ବଡ଼ ସୁଯୋଗ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ବାନ ସମ୍ମିଳନୀ। ଭୁବନେଶ୍ବର ପାଲଟିଛି ଗ୍ଲୋବାଲ ପ୍ଲେୟାରଙ୍କ ଫେଭରିଟ୍ ଡେଷ୍ଟିନେସନ । ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢିବା ଓଡିଶାର ଲକ୍ଷ୍ୟ । ଓଡ଼ିଆ ମେଧାବୀ ପିଲାମାନଙ୍କୁ ବିଶ୍ବ ସ୍ତରରେ ସୁଯୋଗ ଦେବା । ସମ୍ମିଳନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ। ବିଶେଷକରି ଡିଜିଟାଲ୍ ଫାଇନାନ୍ସ, ଫିନଟେକ୍, ଇନ୍ୟୁସରଟେକ୍ ଏବଂ ଏଆଇ-ଚାଳିତ ରୂପାନ୍ତରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ଭାରତନେତ୍ର ପଦକ୍ଷେପ ଅଧୀନରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ-GFTN ସହାୟତାରେ ଏହା ଆୟୋଜିତ ହେଉଛି।
ସମ୍ମିଳନୀରେ ୨୪ଟି ଦେଶର ୧୭୦୦ ରୁ ଅଧିକ ପ୍ରତିନିଧି ଏବଂ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକା ଭଳି ୫ଟି ମହାଦେଶରୁ ପ୍ରାୟ ୧୦୦ ଜଣ ଫାଇନାନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରର ବିଶେଷ ପ୍ରତିଭାମାନେ ଉପସ୍ଥିତ ରହିବେ। ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଆର୍ଥିକ ଅଭିବୃଦ୍ଧି ଉପରେ ନିଷ୍ପତ୍ତି ନେବା ବ୍ଲାକ ସ୍ବାନ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଜିଏଫଟିଏନ୍ ଓଡ଼ିଶାରେ ଶାଖା ପ୍ରତିଷ୍ଠା କରି ଗ୍ଲୋବାଲ କାପାବିଲିଟି ସେଣ୍ଟର ଆରମ୍ଭ କରିଛି। ଏଥିରେ ୫ ବର୍ଷରେ ୭ ହଜାର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛି। ଏବେ ସୁଦ୍ଧା ୭୦ ଓଡ଼ିଆ ପିଲାଙ୍କୁ ଜାପାନ, କୋରିଆ, ସିଙ୍ଗାପୁରରେ ଚାକିରି ମିଳିଛି। ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ ହେଉଛି ଏକ ଆର୍ଥିକ କମ୍ପାନୀ ଯାହା ୨୦୨୪ ମସିହାରେ ସିଙ୍ଗାପୁରର ମୁଦ୍ରା ଆର୍ଥିକ ପ୍ରାଧିକରଣ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦକ୍ଷ ଆର୍ଥିକ ସେବା ସୃଷ୍ଟି କରିବା ପାଇଁ ନବସୃଜନକୁ ଉତ୍ସାହିତ କରିବା। ୨୦୨୫ ବ୍ଲାକ ସ୍ବାନ ସମ୍ମିଳନୀ ଅଷ୍ଟ୍ରେଲିଆର ପର୍ଥରେ ହୋଇଥିଲା। ୨୦୨୫ ଜାନୁଆରୀରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ସରକାର ଜିଏଫଟିଏନ୍ ସହ ଚୁକ୍ତିନାମା କରିଥିଲେ।

