ଭୁବନେଶ୍ବର : ସରକାରଙ୍କ ଆଭିମୁଖ୍ଯ ଠିକ। ସରକାରୀ ସ୍କୁଲରେ ଲାଗିବ ଏଆଇ କ୍ଯାମେରା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷକଙ୍କ ଗତିବିଧି ଉପରେ ରହିବ ନଜର। ଶୁଣିବାକୁ ତ ଭଲ ଲାଗୁଛି। ହେଲେ ଏ ନେଇ ସମସ୍ତ ସ୍କୁଲରେ ଭିତ୍ତିଭୂମି ଅଛି ତ? ବିଦ୍ଯାଳୟ ସ୍ତରରେ ସ୍କୁଲ ପିଲାଙ୍କ ଭିତରେ ଥିବା ଲୁକ୍କାୟିତ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଓସେପା ଆରମ୍ଭ କରିଛି ଉଦ୍ଯମ। ତା ସହିତ ପିଲାମାଙ୍କୁ ବିଦ୍ଯାଳୟ ସ୍ତରରେ ଦିଆଯିବ ଉଚ୍ଚ ମାନର ସାଟେଲାଇଟ ଓ ଇଣ୍ଟରନେଟ ମାଧ୍ଯରେ ଶିକ୍ଷାଦାନ। ସ୍କୁଲ ହେଉଛି ଦଣ୍ଡମୁକ୍ତ ଅଞ୍ଚଳ। ହେଲେ ଶାକ୍ଷାୟତନରେ ଶିକ୍ଷକ ମାଡ଼ ମାରିବା ବା ଛାତ୍ରଛାତ୍ରୀଙ୍କ ପାଠ ନ ପଢ଼ାଇ ଖସି ପଳାଉଥିବା ଅଭିଯୋଗ ଆସେ। ସେହିପରି ପିଲାମାନଙ୍କ ଦୁଷ୍ଟାମି ଯୋଗୁ ଶିକ୍ଷା ବି ପ୍ରଭାବିତ ହେଉଛି। ଏଣିକି ଏସବୁ ଗତିବିଧି ଉପରେ ଏଆଇ କ୍ଯାମେରା ନଜର ରଖିବ। ୫ ହଜାର ୩୭୦ଟି ସ୍କୁଲରେ ଲଗାଯିବ ଏଆଇ କ୍ଯାମେରା। ଏଥିପାଇଁ ଓକାକକୁ ଟେଣ୍ଡର ଦିଆଯାଇଛି। ଏଆଇ କ୍ଯାମେରା ଅପରେସନ ପାଇଁ ଓକାକରେ ୪ଟି ମେନ ଷ୍ଟୁଡିଓ ସହିତ ୮ଟି ଆଞ୍ଚଳିକ ଷ୍ଟୁଡିଓ କାର୍ଯ୍ଯକ୍ଷମ କରାଯିବ। ଫାଇବର ସହ ପରିଚାଳିତ ଏହି ସାଟେଲାଇଟ ଯୋଗାଯୋଗ ଜରିଆରେ ଡିଜିଟାଲ କଣ୍ଟେଣ୍ଟ ସବୁ ଉଭୟ ଇଂରାଜି ଓ ଓଡ଼ିଆ ଭାଷାରେ ପଢ଼ାଯିବ। ପ୍ରଥମ ପର୍ଯ୍ଯାୟରେ ରାଜ୍ଯରେ ୭୬୨ ପିଏମଶ୍ରୀ ସ୍କୁଲରେ ଏଆଇ କ୍ଯାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି।
ପୂର୍ବ ସରକାର ସମୟରୁ ଡିଜିଟାଲ କ୍ଲାସରୁମ କରାଯାଇଛି । ଭିତ୍ତିଭୂମି ସୁଦୃଢ଼ ଯୋଗୁ ଏଆଇ ବ୍ୟବହାର ସହଜ ହେବାକୁ ଯାଉଛି । ଉପାନ୍ତ ଅଞ୍ଚଳରେ ବହୁତ ପିଲା ସ୍କୁଲ ଆସନ୍ତି ନାହିଁ । ସେମାନଙ୍କୁ ଏକ ଆପ୍ ମାଧ୍ୟମରେ ପଢାଯାଇ ପାରିବ । ହେଲେ ଓଡ଼ିଶାରେ ବଡ଼ ସମସ୍ୟା ହେଉଛି ଇଣ୍ଟରନେଟ୍ ସଂଯୋଗୀକରଣ । ଏ ଯାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଭଲ ଇଣ୍ଟରନେଟ ସାନ୍ଧ୍ରତା ମିଳିନି । ପିଲାମାନଙ୍କୁ ପାହାଡ଼ ବା ଗଛ ଚଢି ବିପଦସଂକୁଳ ଅବସ୍ଥାରେ ଅନଲାଇନ କ୍ଲାସ କରିବାକୁ ପଡ଼ୁଛି । ସେହିପରି ଅନେକ ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ । ଏଆଇକୁ ଯିବା ପୂର୍ବରୁ ଭିତ୍ତିଭୂମି ସୁଧାରିବାକୁ ପରାମର୍ଶ ଦେଇଛନ୍ତି ଆଇଟି ବିଶେଷଜ୍ଞ । ଶିକ୍ଷକ ତାଲିମ, ଅତିରିକ୍ତ ପାଠ୍ୟକ୍ରମ, ଦକ୍ଷତା ବିକାଶ ସହ ଭର୍ଚୁଆଲ୍ ଲର୍ଣ୍ଣି ଉପରେ ଗୁରୁତ୍ବ ଦେଲେ କୃତ୍ରିମ ବୁଦ୍ଧିମତା ବ୍ଯବସ୍ଥା ଶିକ୍ଷା କ୍ଷେତ୍ରରେ ଅନେକ ଗୁଣାତ୍ମକ ପରିବର୍ତ୍ତନ ଆଣିବ ବୋଲି ମତ ପ୍ରକାଶ ପାଇଛି।

