ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର। ପରଲୋକଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ସମ୍ଭାଳିବେ ଗୁରୁ ଦାୟିତ୍ବ । ଅପରାହ୍ଣ ୫ଟାରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି । ସୁନେତ୍ରାଙ୍କୁ ଅବକାରୀ ଓ କ୍ରୀଡ଼ା ବିଭାଗ ମିଳିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅର୍ଥ ବିଭାଗ ଦାୟିତ୍ବରେ ରହିବେ । ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ଫଡନବିସଙ୍କୁ ଏନସିପିର ନେତାମାନେ ଅନୁରୋଧ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଏନସିପିର ଜଣଙ୍କୁ ସ୍ଥାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ନିକଟରେ ଦାବି କରିଥିଲେ ଏନସିପି ନେତୃମଣ୍ଡଳୀ।
ଏନସିପିର ଏକ ପ୍ରତିନିଧି ମଣ୍ଡଳୀ ଯାଇ ଫଡନବିସଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନୀତ ତତକାରେ ଓ ଛଗନ ଭୁଜବଳ। ଅଜିତଙ୍କ ଅଧୀନରେ ଥିବା ଅର୍ଥ, ଅବକାରୀ, କ୍ରୀଡ଼ା ବିଭାଗକୁ ଏନସିପି ହାତରେ ଦେବା ଲାଗି ସେମାନେ ଦାବି କରିଥିଲେ। ସେପଟେ ଶରଦ ପାୱାରଙ୍କ ନେତୃତ୍ବରେ ରହିଥିବା ଏନସିପି(ଏସପି) ସହ ଏନସିପି(ଏପି)ର ମିଶ୍ରଣ ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି। ଆସନ୍ତା କାଲି ଏନସିପି ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବା ସମ୍ଭାବନା ରହିଛି ।

