ସିସିଟିଭି କ୍ୟାମେରା ଅଚଳ । ସହରରେ ଅପରାଧୀ ସଚଳ । ପୋଲିସର ସିଟି ସର୍ଭେଲାନ୍ସ ସିଷ୍ଟମ ନିଷ୍କ୍ରିୟ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଅପରାଧିକ କାର୍ଯ୍ୟକଳାପ ଓ ଅମାନିଆ ବାଇକ ଚାଳକକଙ୍କ ଉପରେ ନଜର ରଖିବାକୁ ପ୍ରତ୍ୟେକ ଛକରେ ସିସିଟିଭି କ୍ୟାମେରା ଲଗାଇଥିଲା ପୋଲିସ । ଯାହାର କଣ୍ଟ୍ରୋଲ ବ୍ୟବସ୍ଥା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ହୋଇଥିଲା । ହେଲେ ଗତ ବର୍ଷେ ହେବ ସମସ୍ତ କ୍ୟାମେରା ନଷ୍ଟ ହୋଇ ପଡିରହିଛି । ଯାହାର ଫାଇଦା ଉଠାଉଛନ୍ତି ଅପରାଧି । ହେଲେ ଏଥିପ୍ରତି ପୋଲିସର ନିଘା ନାହିଁ ।
ସହରରେ ଡ଼କାୟତି ସହ ଦୋକାନରୁ ଚୋରି ଘଟଣା ବୃଦ୍ଧି ପାଇଛି । ଜିଲ୍ଲା ବଣିକ ସଂଘ ପକ୍ଷରୁ ଏନେଇ ବାରମ୍ବାର ଏସପିଙ୍କ ନିକଟରେ ଅଭିଯୋଗ କଲେଣି ହେଲେ ଫଳ ଶୂନ । ଅନ୍ୟପଟେ ଖୁବଶୀଘ୍ର ସହରରେ ସିସିଟିଭି ସହ ଟ୍ରାଫିକ ଚାଲାଣ କ୍ୟାମେରା ଲାଗିବ ବୋଲି କହିଛନ୍ତି ଏସପି । ସରକାର ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଉଛନ୍ତି । ହେଲେ ତାହା ରକ୍ଷଣାବେକ୍ଷଣ ଅଭାବରୁ ଲୋକଙ୍କ କାମରେ ଆସୁନି । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

