ଓଡ଼ିଆ ଭାଷାକୁ ସମୃଦ୍ଧ କରିବ AI: ମୂଲ୍ୟବାନ ଇନପୁଟ ପାଇଁ ଓଡ଼ିଶା ଭର୍ଚୁଆଲ୍ ଏକାଡେମୀ ଶୀଘ୍ର ଆରମ୍ଭ କରିବ ଓଡ଼ିଆ ଭାଷା ଦାନ ଅଭିଯାନ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଭାଷାକୁ ବଳ ଯୋଗାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ବିଶ୍ୱବ୍ୟାପୀ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସାହାଯ୍ୟ କରିବ ଏଆଇ । ଏଥିପାଇଁ ଦରକାର ପଡୁଥିବା ତଥ୍ୟ ହାସଲ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଆ ଭାଷାଦାନ ଅଭିଯାନ । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଉନ୍ନତ ସେବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବ ଏଆଇ । ଏସବୁ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଟେକ୍ନୋଲୋଜି ପ୍ରସ୍ତୁତି କାମରେ ଲାଗିଛି ରାଜ୍ୟ ସରକାରଙ୍କ ଆଇଟି ବିଭାଗ ।
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଆ ଭାଷାଦାନ ଅଭିଯାନ । ଓଡ଼ିଆ ଭାଷା କ୍ଷେତ୍ରର ବିଜ୍ଞ ବ୍ୟକ୍ତି ଓ ଅନୁଷ୍ଠାନ ଦେଇପାରିବେ ସେମାନଙ୍କ ଇନପୁଟ । କାରଣ ଇନପୁଟ୍ ଡାଟା ବା ତଥ୍ୟ ଯେତେ ବଳିଷ୍ଠ ହେବ, ଭାଷା ସେତେ ସମୃଦ୍ଧ ହେବ । ପର୍ଯ୍ୟାପ୍ତ ଡାଟା ମିଳିଲେ ଲୋକେ ଓଡ଼ିଆ ଭାଷାରେ ଓଡିଶା ବିଷୟରେ ଅଧିକ ଜାଣିପାରିବେ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସହାୟକ ହେବ । ଆଇଆଇଟି ମାଡ୍ରାସର ଭାରତ ଏଆଇ ହେଉ କି ଆଇଆଇଟି ଭୁବନେଶ୍ୱରର ଭାସିନୀ ଏଆଇ ମଡ୍ୟୁଲ ଖୁବ ସହାୟକ ହେବ । ଓଡ଼ିଶା ଭରଚୁଆଲ ଏକାଡେମୀ ଆରମ୍ଭ କରିବାକୁ ଯାଉଛି ଓଡ଼ିଆ ଭାଷାଦାନ ଅଭିଯାନ । ଆଇଆଇଟି ଭୁବନେଶ୍ୱର ଦ୍ୱାରା ଖୋଲାଯାଇଥିବା ଏଏଚଆରସି କେନ୍ଦ୍ରରେ ଓଡିଆ ଭାଷା ବାବଦରେ ଯେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ନିଜ ନିଜର ଗବେଷଣାର ତଥ୍ୟ ଦାଖଲ କରିପାରିବେ । ଭାଷା ବିଷୟରେ ଅବଦାନ ପାଇଁ ହାତଲେଖା, ସ୍ୱର କିମ୍ବା ସ୍କ୍ରିପଟିଂ ଗ୍ରହଣ କରାଯିବ । ଡାଟା ଷ୍ଟୋରେଜ ପାଇଁ ସ୍ୱତନ୍ତ୍ର ସର୍ଭର ବ୍ୟବସ୍ଥା କରାଯାଇଛି ।
ଓଡ଼ିଆ ଭାଷାଦାନ ଅଭିଯାନରେ ନିଯୁକ୍ତ ହେବେ ୫ ଶହ ଡାଟା ଇଞ୍ଜିନିୟର । ରାଜ୍ୟସ୍ତରରେ କାମ କରିବେ ଶହେରୁ ଅଧିକ ଏଆଇ ଏକ୍ସପର୍ଟ । ଓଡ଼ିଆ ଭାଷା ବିଷୟରେ କୋଣ ଅନୁକୋଣରୁ ଆସୁଥିବା ଇନପୁଟକୁ ଏମାନେ ଅନୁଧ୍ୟାନ କରି ନିର୍ଭୁଲ ଭାବେ ଉପସ୍ଥାପନ କରିବେ । ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଏହା ଉପରେ ବିଦେଶରୁ ଆସିଥିବା ଏକ୍ସପର୍ଟମାନେ ଆଲୋଚନା କରିଛନ୍ତି । ମଣିଷ ଭଳି ଦେଖାଯାଉଥିବା ରୋବଟ ଆକର୍ଷଣ ପାଲଟିଛି । ମଣିଷ ଭଳି ଦୌଡ଼ି ପାରୁଛି, ନାଚି ପାରୁଛି । ସେଲ୍ଫି ପାଇଁ ରୋବଟ ପାଖରେ ଭିଡ଼ ମଧ୍ୟ କିଛି କମ୍ ନୁହେଁ । ଓଡ଼ିଆ ଭାଷା ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏଆଇର ଉପଯୋଗ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଆଇଟି ବିଭାଗ ପକ୍ଷରୁ ଭିତ୍ତିଭୂମି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯାଉଛି ।
ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଆଇ ପଲିସି ଆଣିବା ସହ ଏଆଇ ଭିତ୍ତିଭୂମି ଓ ଟେଲକ୍ନୋଲୋଜି ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି ସରକାର । ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏଆଇର ଭୂମିକା ନେଇ ଆଲୋଚନା ଚାଲିଛି ।

