ବାଣପୁର :ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ଗତକାଲି ରାତିରେ ବାଣପୁର ଏନଏସି ଓ୍ବାର୍ଡ ନଂ ୨ର ବୋଡା ସାହିରେ ରହୁଥିବା ୪୫ ବର୍ଷ ବୟସ୍କ ଛବିନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇଥିଲା । ରାତିସାରା ତାଙ୍କୁ ହାଜତରେ ରଖାଯାଇଥିଲା । ଆଜି ସକାଳୁ ସଂପୃକ୍ତ ଅଭିଯୁକ୍ତ ଛବିନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ପୋଲିସ ତରବରିଆ ଭାବେ ଛବିନ୍ଦ୍ରଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । କିନ୍ତୁ କ୍ୟାପିଟାଲ ହସ୍ପିଟାଲର ସୂଚନା ଅନୁସାରେ ଛବିନ୍ଦ୍ରଙ୍କୁ ରିସିଭ ଡେଡ ବା ମୃତ ଗ୍ରହଣ କରାଯାଇଛି । ଏବେ ସନ୍ଦେହ ଉଠୁଛି ହାଜତ ଭିତରେ ଛବିନ୍ଦ୍ରଙ୍କୁ କୌଣସି ଶାରିରୀକ ନିର୍ଯାତନା ଦିଆଯାଇଥିଲା କି ? ଘଟଣାରେ ହାଜତର ସିସିଟିଭି ଯାଞ୍ଚ ସାଙ୍ଗକୁ ଏହାର ତଦନ୍ତ ଆବଶ୍ୟକ । ପ୍ରଶ୍ନ ଉଠୁଛି କାହାକୁ ଥାନା ହାଜତରେ ରାତି ସାରା ଅଟକ ରଖିବା ନିୟମ ଅଛି କି ? ଯଦି ଥାନା ହାଜତରେ ଅଟକ ରଖାଗଲା ତା ହେଲେ ସଂପୃକ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ହୋଇଥିଲା କି ? ଛବିନ୍ଦ୍ରଙ୍କ ସଂଦେହଜନକ ମୃତ୍ୟୁ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

