ମାଲକାନଗିରି : ଧିରେ ଧିରେ ସୁଧୁରୁଛି ମାଲକାନଗିରି ଏମଭି ୨୬ ଗାଁର ସ୍ଥିତି । ହଟିଛି ୧୬୩ ଧାରା । ହେଲେ ଆସନ୍ତାକାଲି ଦିନ ୧୨ଟା ଯାଏଁ ରହିବ ଇଣ୍ଟରନେଟ କଟକଣା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୋଡାଜଳା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଏମଭି ୨୬ ଗ୍ରାମରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁକରଞ୍ଜନ ମଣ୍ଡଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅପରାଧରେ ବ୍ୟବହୃତ ଅସ୍ତ୍ରକୁ ପୋଲିସ ଜବତ କରିଛି । ମୃତ ଶରୀରର ମୁଣ୍ଡ ପୋଲିସ ଉପସ୍ଥିତିରେ ଜବତ କରି ସମ୍ମାନର ସହିତ ପୋତି ଦିଆଯାଇଛି । ବିଏସଏଫ, ସିଆରପିଏଫ, ସିଏପିଏଫ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଫ୍ଲାଗ ମାର୍ଚ୍ଚ କରାଯାଉଛି । ଏହା ସହ ପୋଲିସ ଷ୍ଟେସନ ସ୍ତରରେ ଶାନ୍ତି ବୈଠକ କରାଯାଉଛି। ନ୍ୟାୟ ପ୍ରଦାନ କରିବା ପାଇଁ ତଦନ୍ତ ଗୁରୁତର ସହିତ ଚାଲିଛି। ଗୁଜବରେ ବିଶ୍ବାସ ନକରି ପୋଲିସ ଉପରେ ଭରସା ରଖିବା ଲାଗି ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨କୁ ଡାଏଲ୍ କରିବାକୁ ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି।

