ଭୁବନେଶ୍ଵର : ୧୮ ମାସର ବିଜେପି ସରକାର। ଲୋକଙ୍କ ସରକାର ସବୁଥିରେ ବିଫଳ। କାହିଁକି କଣ ପାଇଁ ? ଇତିହାସ ପାଲଟିଥିବା ଭୋକର ଭୂଗୋଳ ଆଜି ପୁଣି କାହିଁକି ଚେଇଁ ଉଠିଲାଣି ? କ୍ଷମତାକୁ ଆସିବା ପୂର୍ବରୁ ଏକ ବିକଶିତ ଓ ବଳକା ରାଜସ୍ବ ରାଜ୍ଯ ଥିଲା ଓଡ଼ିଶା। ଯାହା ଉପରେ ଆଜି ବିଜେପି ସରକାର ଗର୍ବ କରୁଛନ୍ତି। ସେଥିପାଇଁ ପୂର୍ବ ସରକାରଙ୍କ ଭିଜନ ଥିଲା। ଏବେ ସବୁକିଛି ଦିଶାହୀନ। ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ଓଡ଼ିଶା ବିନିଯୋଗ ବିଲ ୨୦୨୫ ଆଲୋଚନାରେ ସରକାରଙ୍କୁ ଏପରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି ବିଧାୟକ ଅରୁଣ ସାହୁ ଗୋଟି ଗୋଟି କରି ସରକାରଙ୍କ ବିଫଳତାକୁ ଦର୍ଶାଇଥିଲେ। କହିଥିଲେ, ବିଜେପି ସରକାରଙ୍କୁ ଜଣାନାହିଁ ଆର୍ଥିକ ପରିଚାଳନା। ଋଣ କରି ବଜେଟ ଆକାର ବଢ଼ାଉଛନ୍ତି। ହେଲେ ଅର୍ଥ ଖର୍ଚ୍ଚ ହୋଇପାରୁନି। ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ଦେଶରେ ଏକ ନମ୍ବରରେ ପହଞ୍ଚିଲାଣି। ଏବେ ରାଜ୍ଯରେ ଦିନକୁ ୧୫ ଜଣ ମହିଳାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି ମହିଳା ଓ ନାବାଳିକା । ସୌମ୍ୟାଶ୍ରୀ ଆତ୍ମହତ୍ୟା, ଗୋପାଳପୁର ଗଣଦୁଷ୍କର୍ମ, ବଳଙ୍ଗା, ମାଲକାନଗିରିରେ ୩ ଶିଶୁଙ୍କୁ ନିର୍ଯାତନା ଉଦାହରଣ ଦର୍ଶାଇ ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲେ ବିଧାୟକ ଅରୁଣ ସାହୁ। ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିଲେ। ହେଲେ ସରକାର ଏ ପର୍ଯ୍ଯନ୍ତ ଚୁପ। ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଲାନି। ଆୟୁଷ୍ମାନ ଯୋଜନା ଆୟୁକ୍ଷୟ ଯୋଜନାରେ ପରିଣତ ହେଲାଣି। ବେକାରୀ ବଢ଼ିଚାଲିଛି, ଧାନ କିଣାରେ ଅବ୍ୟବସ୍ଥା, ଦରଦାମ ବୃଦ୍ଧି, ଚାଷୀଙ୍କୁ ଏମଏସପି ବାବଦରେ କେନ୍ଦ୍ର ବଢାଇଛି ମାତ୍ର ୬୯ ଟଙ୍କା, କିଶୋରୀଙ୍କ ପାଇଁ ହୋଇଥିବା ଖୁସି ଯୋଜନା ବନ୍ଦ, ଲୋକାୟୁକ୍ତ ଅଚଳ, ଖାଲି ପଡ଼ିଛି ବୋର୍ଡ ଓ ନିଗମ ଅଧ୍ଯକ୍ଷ ପଦ । କେନ୍ଦ୍ର ଓ ରାଜ୍ଯରେ ବିଜେପି ସରକାର ଥାଇ ବି ମହାନଦୀ ସମସ୍ୟାର ସମାଧାନ ହୋଇପାରୁନି। ଦାରିଦ୍ର୍ୟର ପୁରୁଣା ଚିତ୍ର ଦେଖାଦେଲାଣି। ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ଗରିବଙ୍କ ମୃତ୍ୟୁ ହେଉଛି। ଆଦିବାସୀ ଜୁଆଙ୍ଗ ପିଲାଙ୍କ ଦୁଃଖ କଥା କହିଲେ ନ ସରେ ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ଅରୁଣ। ସେପଟେ ସରକାରଙ୍କ ବିଫଳତା ଉପରେ କାହିଁକି ଶବ୍ଦ ବାରମ୍ବାର ବ୍ଯବହାର କରିବାରୁ ଅରୁଣଙ୍କୁ ଜବାବ ଦେଇଥିଲେ ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀ ।
ବିନିଯୋଗ ବିଲ ଆଲୋଚନାରେ କଂଗ୍ରେସ ମଧ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଥିଲେ ଯେ, ବାର୍ଷିକ ବଜେଟ ଅର୍ଥ ସରକାର ଖର୍ଚ୍ଚ କରିପାରି ନାହାନ୍ତି। ପୁଣି ଆଣିଥିବା ଅତିରିକ୍ତ ବଜେଟ କିଭଳି ଖର୍ଚ୍ଚ କରିବ, ତାକୁ ନେଇ ଉପୁଜିଲାଣି ସନ୍ଦେହ। ବଜେଟ ଅର୍ଥ କମ, ଖର୍ଚ୍ଚ ବିକାଶରେ ପ୍ରତିବନ୍ଧକ। ରାଜ୍ୟରେ ଡାକ୍ତର ଅଭାବ, ଶିକ୍ଷକ ଅଭାବ । ଆଦିବାସୀଙ୍କୁ ମିଳୁନି ସେମାନଙ୍କ ହକ। କିନ୍ତୁ ଆଗାମୀ ୫୦ ବର୍ଷ ପାଇଁ ବିଜେପି ସରକାର ଓଡ଼ିଶାବାସୀଙ୍କ ସେବା କରିବ ବୋଲି ଦାବି କରୁଛି । ଅନ୍ରପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଜବାବ ରଖିଛି ଶାସକ ଦଳ। ୧୮ ମାସର ବିଜେପି ସରକାରର ବିଫଳତାର ବିଭାଗ ୱାରି ଉଦାହରଣ ଦେଇ ମନ୍ତ୍ରୀ ଓ ଶାସକ ଦଳକୁ ଟାର୍ଗେଟ କରିଥିଲେ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର। ସେପଟେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଦ୍ବିତୀୟ ବ୍ଯୟ ମଞ୍ଜୁରୀ ବିଲର ପରିମାଣ ୧୭ ହଜାର ୪୪୦ କୋଟି ୨୧ ହଜାର ଟଙ୍କା।

