ଭୁବନେଶ୍ଵର : ବିଧାନସଭାରେ ଧାନ କିଣା ତାତି । ପ୍ରଶ୍ନକାଳରୁ ମୁଲତବୀ ପ୍ରସ୍ତାବ ଯାଏ ହୁଲସ୍ତୁଲ ଗୃହ । ଶାସକ ଓ ବିରୋଧୀ ସଦସ୍ୟଙ୍କ ପ୍ରଶ୍ନ ବାଣରେ ଘାଇଲା ଯୋଗାଣ ମନ୍ତ୍ରୀ । ଅଦିନିଆ ବର୍ଷାକୁ କଲେ ଦାୟୀ ।.. ..ଧାନ କିଣାରେ କାହିଁକି ହେଉଛି ବିଳମ୍ୱ ? କାହିଁକି ଏଯାଏ ଚାଷୀଙ୍କୁ ମିଳିନି ଟୋକନ । ଚାଷୀଙ୍କ ଧାନ କେବେ କିଣିବେ ସରକାର ? ପ୍ରଶ୍ନକାଳରୁ ମୁଲତବୀ ପ୍ରସ୍ତାବ ଆଲୋଚନା ଯାଏଁ ଯୋଗାଣ ମନ୍ତ୍ରୀଙ୍କ ଏପରି ପ୍ରଶ୍ନ କରି ଘେରିଛନ୍ତି ବିରୋଧୀ । ଧାନ କିଣାର ଅବ୍ୟବସ୍ଥା ନେଇ ବିଜେଡି ମୁଲତବୀ ଦେଇ ଚାଷୀଙ୍କ ସମସ୍ୟାକୁ ଗୃହରେ ଶାଣିତ ଭାବରେ ଉଠାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଧାନ ସଂଗ୍ରହ କରିନାହାନ୍ତି ସରକାର । ଗତବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ କରିଥିଲେ । ହେଲେ ଏଥର ଏକ ମାସ ବିଳମ୍ବ ହୋଇଛି । ଆଜି ବି ହଜାର ହଜାର ଚାଷୀ ପଞ୍ଜୀକରଣରୁ ବଂଚିତ ହୋଇଛନ୍ତି । କେବଳ ବରଗଡ ଜିଲ୍ଲାରେ ୫ହଜାର ଚାଷୀ ପଞ୍ଜୀକରଣ କରିନାହାନ୍ତି । ସେମାନେ କିପରି ଧାନ ବିକ୍ରି କରିବେ । ଗୋଟିଏ ବି ଚାଷୀ କିପରି ଧାନ କିଣାରୁ ବଂଚିତ ନ ହୁଅନ୍ତି ତାହା ଉପରେ ସରକାର ଗୁରୁତ୍ଵ ଦେବା ଆବଶ୍ୟକ । ଏଯାଏ ଚାଷୀକୁ ଟୋକନ ମିଳିନାହିଁ । ଗୋଦାମ ଖାଲି ନାହିଁ । FCI ଚାଉଳ ନେଉନାହିଁ । ଏଯାଏ ସରକାର କେଉଁ ମିଲରେ ଧାନ କିଣାଯିବ ସେ ଟ୍ୟାଗିଙ୍ଗ ସିଷ୍ଟମ କରାଯାଇ ନାହିଁ। ତେଣୁ ମିଲର ମାନେ ଧାନ କିଣିବେ କେମିତି ? ଧାନ କିଣା ଅବ୍ୟବସ୍ଥା ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । କେନ୍ଦ୍ର ଦେଉଥିବା ଏମଏସପି ୬୯ ଟଙ୍କାକୁ ସରକାର ଏଥର ଧାନ କିଣାରେ ଇନପୁଟ ସବସିଡି ସହ ମିଶାଇ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ । ସରକାର ଧାନ ସଂଗ୍ରହ ବିଳମ୍ୱ ଓ ଅବ୍ୟବସ୍ଥା ଯୋଗୁଁ ଚାଷୀ ୧୪ଶହରୁ ୧୭ ଶହ ଟଙ୍କାରେ ବାଧ୍ୟ ହୋଇ ଧାନ ବିକ୍ରି କରୁଛନ୍ତି । ଚାଷୀ ଦୁଃଖରେ ଅଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ମୁଲତବୀ ପ୍ରସ୍ତାବରେ ବିଜେଡି ଓ କଂଗ୍ରେସର ମାଳମାଳ ବିଧାୟକ ଧାନ କିଣାରେ ସରକାର ବିଫଳ ହୋଇଥିବା ଦର୍ଶାଇ ଯୋଗାଣ ମନ୍ତ୍ରୀଙ୍କୁ ଘେରିଥିଲେ । ଧାନ କିଣାରେ ସରକାର ବିଫଳ ହୋଇଛି ବୋଲି କଂଗ୍ରେସ କହିଛି। କଳାହାଣ୍ଡି ଓ ବରଗଡ଼ରେ ୨୮-୧୧-୨୦୨୫ ରେ ଧାନ କିଣିବା ପାଇଁ ସ୍ଥିର କରିଥିଲେ ସରକାର । ହେଲେ କିଣିଲେ ନାହିଁ। ମିଲର ଚାଷୀ ମାନଙ୍କୁ ହଇରାଣ କରୁଛନ୍ତି । ଏଥର ଇନପୁଟ ସବସିଡିରେ ବର୍ଦ୍ଧିତ ଏମଏସପି ଦେଇ ୩୧୬୯ ଟଙ୍କା ଚାଷୀଙ୍କୁ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମନ୍ତ୍ରୀ କହିଛନ୍ତି ସରକାର ଧାନ କିଣୁଛନ୍ତି ବୋଲି କହୁଛନ୍ତି । ହେଲେ କିଣୁ ନାହାନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଖୋଦ ଶାସକ ଦଳର ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଧାନ କିଣାରେ ବିଭାଗ ବିଭାଗ ମଧ୍ୟରେ ସମ୍ୱନୟ ନାହିଁ।
ଅନ୍ୟପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଅଦିନିଆ ବର୍ଷା ଯୋଗୁଁ ଧାନ ସଂଗ୍ରହ ବିଳମ୍ୱ ହୋଇଛି । ୨ଲକ୍ଷ ୫୪ ହଜାର ୫୬୯ ଚାଷୀଙ୍କୁ ଧାନ ସଂଗ୍ରହ ପାଇଁ ଟୋକନ ଦିଆଯାଇଛି। ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରରେ ୪ହଜାର ୧୧୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ମଣ୍ଡିରେ କୌଣସି ଦୁର୍ନୀତି ହେଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧାନ ସଂଗ୍ରହ ପାଇଁ ସବୁ ମଣ୍ଡିରେ ସିସିଟିଭି ଲଗା ଯାଇଛି । ମନ୍ତ୍ରୀମାନେ ମଣ୍ଡି ଦାୟିତ୍ୱରେ ଅଛନ୍ତି । ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି । ଧାନ କିଣା ଠିକ ଭାବେ ଚାଲିଛି । ମନ୍ତ୍ରୀ ଏପରି ମିଛ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।

