ଭାରତ ଇତିହାସରେ ପ୍ରଥମ: ବିଧାନସଭାକୁ ଉଦବୋଧନ କରିବେ ମହାମହିମ ରାଷ୍ଟ୍ରପତି
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ବିଧାନସଭାକୁ ଉଦବୋଧନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୀତ ଅଧିବେଶନର ପ୍ରଥମ ଦିନରେ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ ମହାମହିମ । ମନ୍ତ୍ରୀ ଭାବେ ଯେଉଁ ଚାମ୍ବରରେ ବସୁଥିଲେ ସେଠାକୁ ଯିବେ ରାଷ୍ଟ୍ରପତି । ଆସନ୍ତାକାଲି ଅପରାହ୍ନ ସାଢେ ୪ଟାରେ ଉଦବୋଧନ ଦେବେ । ଏହା ହେବ ଭାରତ ବର୍ଷରେ ପ୍ରଥମ ଘଟଣା । ରାଷ୍ଟ୍ରପତି କ’ଣ କହିବେ, ତା’ଉପରେ ରହିଛି ସଭିଁଙ୍କ ନଜର । ଏଥିପାଇଁ ସଜେଇ ହୋଇଛି ବିଧାନସଭା ।
ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯିବ । ଏହାପରେ ବିଧାୟକଙ୍କ ସହ ଫୋଟୋ ସେସନ୍ ରହିବ । ଶୀତ ଅଧିବେଶନକୁ ସମ୍ବୋଧନ କରିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ । ସେଠାରେ ପୁରୁଣା ସ୍ମୃତି ସାଉଣ୍ଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୦୦ରୁ ୨୦୦୪ରେ ପରିବହନ ମନ୍ତ୍ରୀ ଥିବା ବେଳେ, ଯେଉଁ ଚାମ୍ବରରେ ବସୁଥିଲେ ସେଠାରେ କିଛି ସମୟ ରହିବା ପରେ ବିଧାନସଭାରୁ ବିଦାୟ ନେବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଷ୍ଟ୍ରପତିଙ୍କ ଉଦବୋଧନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ସେହିପରି କଂଗ୍ରେସ ସ୍ବାଗତ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ । ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ସାଙ୍ଗକୁ ମହାନଦୀ, ପୋଲାଭରମ୍ ପରି ସମସ୍ୟାର ସମାଧାନ ଦିଗରେ ଦାବିପତ୍ର ପ୍ରଦାନ କରାଯିବ । ରାଜ୍ୟର ସ୍ବାର୍ଥ କିଭଳି ପୂରଣ ହେବ ସେନେଇ ମଧ୍ୟ ଦାବି ଉଠାଇବ କଂଗ୍ରେସ । ବିଜେଡି ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତକୁ ସ୍ବାଗତ କରିଛି ।
ବିଧାନସଭାରେ ଘଣ୍ଟାଏରୁ ଅଧିକ ସମୟ ରହିବେ ମହାମହିମ । ଏଥିପାଇଁ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

