ପ୍ୟାର କେ ଲିଏ କୁଛ ଭି କରେଗା । ପ୍ରେମ ପାଇଁ ପିଶାଚ ସାଜିଲେ ପ୍ରେମିକ । ଫିଲ୍ମ ଷ୍ଟାଇଲରେ ପ୍ରେମିକଙ୍କ କାରନାମା । ୨ କେସରେ ଆରେଷ୍ଟ ହେଲେ ୨ ଲଭର୍ । ତୁ ମୋର ହବୁନି ତ ଆଉ କାହାର ହେବୁନି । ମୋ ଆଗରେ ଆଉ କାହା ସହ ଶାରୀରିକ ସମ୍ପର୍କ ରଖିଲେ ଜୀବନରୁ ମାରିଦେବି । ଇଏ କୌଣସି ଫିଲ୍ମର ଡାଇଲଗ ନୁହେଁ । ରିୟଲ ଲାଇଫରେ ଏଭଳି କହି ପ୍ରେମିକାର ତଣ୍ଟି କାଟିଦେଇଛି ପ୍ରେମିକ । ଇଏ ହେଉଛନ୍ତି ଟିଙ୍କୁ ଗୁରୁମ । ଘର ଦାର୍ଜିଲିଂ । ମୋମୋ ତିଆରି କରିବା ସହ ରାଜଧାନୀ ବୁଦ୍ଧ ପାର୍କ ନିକଟରେ ଏକ ହୋଟେଲରେ କାମ କରନ୍ତି । ତାଙ୍କ ପ୍ରେମିକାଙ୍କ ଘର ମଧ୍ୟ ଦାର୍ଜିଲିଂରେ ହୋଇଥିବା ବେଳେ ସେ ମୋମୋ ଦୋକାନରେ କାମ କରନ୍ତି । ଶନିବାର ଦିନ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ରକରି ଠିକ ଏହି ସ୍ଥାନରେ ପ୍ରେମିକାଙ୍କୁ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି ଟିଙ୍କୁ । ଲୋକେ କାବୁ କରି ପୋଲିସ ଜିମା ଦେବା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।
ନିଜ କଲା କର୍ମ ପାଇଁ ଟିକିଏ ବି ପଶ୍ଚାତାପ ନାହିଁ । ତେବେ ଇଏ ଗୋଟିଏ ଘଟଣା ନୁହେଁ । ପ୍ରେମ ପାଇଁ ରାଜଧାନୀରେ ଆଉ ଗୋଟିଏ ନାରକୀୟ କାଣ୍ଡ ସାମ୍ନାକୁ ଆସିଛି । ଲିଫ୍ଟ ଦେବା ଆଳରେ ନିଜ ବାନ୍ଧବୀଙ୍କୁ ଜୋର ଜବରଦସ୍ତ ଅପହରଣ ଓ ବିବାହ କରି ଗିରଫ ହୋଇଛି କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ ନାୟକ । ଭୁବନେଶ୍ୱର ମହିଳା ଥାନା ପୋଲିସ ପିଡିତାଙ୍କ ଏତଲା ଆଧାରରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଠାରୁ ଡିଜିଟାଲ ଡିଭାଇସ ଜବତ କରାଯାଇଛି । ପୀଡିତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସେଥିରେ ରେକର୍ଡ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ରାଜଧାନୀରେ ପ୍ରେମକୁ ନେଇ ଘଟିଥିବା ଦୁଇ ଦୁଇଟି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଚନ୍ଦ୍ରଶେଖରପୁର ଘଟଣାରେ ଯୁବତୀଙ୍କ ସହ ସମ୍ପର୍କରେ ଥିବା ଥାର୍ଡପର୍ଶନକୁ ଆବଶ୍ୟକ ସ୍ଥଳେ ଜେରା କରାଯିବ ବୋଲି କହିଛି ପୋଲିସ ।

