ଶିକ୍ଷାବର୍ଷ ସରିବାକୁ ବସିଲାଣି, ପିଲାଙ୍କୁ ମିଳିଲାନି ୟନିଫର୍ମ, ଦାୟୀ କିଏ?
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷାବର୍ଷ ସରିବାକୁ ବସିଲାଣି, ହେଲେ ଏଯାଏଁ ରାଜ୍ୟର ଅନେକ ସରକାରୀ ସ୍କୁଲରେ ପିଲାଙ୍କୁ ମିଳିନି ୟୁନିଫର୍ମ । ଅଗଷ୍ଟ ମାସ ସୁଦ୍ଧା ୟୁନିଫର୍ମ ଦେବାକୁ ସରକାର ଘୋଷଣା କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଏପରି ଅନିୟମିତତା ପାଇଁ ଦାୟିତ୍ବରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟୀ କରିଛନ୍ତି ରାଜ୍ୟ ସରକାର । ଆବଶ୍ୟକ ପଡ଼ିଲେ, ଏ ସବୁ ଏସଏଚଜିଙ୍କୁ ବାତିଲ କରି ବିକଳ୍ପ ପନ୍ଥାରେ ୟୁନିଫର୍ମ ପ୍ରଦାନ କରିବାକୁ ସରକାର ବ୍ୟବସ୍ଥା କରିବେ ବୋଲି ଜଣାପଡିଛି ।
ବାଲେଶ୍ବର, କୋରାପୁଟ, ଭଦ୍ରକ ପରି ଅନେକ ଜିଲ୍ଲାରେ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିଲାନି ୟୁନିଫର୍ମ । ମାସ ପରେ ମାସ, ଏମିତିକି ଆସୁଛି ନୂଆବର୍ଷ । ତା’ପରେ ବାର୍ଷିକ ପରୀକ୍ଷା ଓ ନୂଆ କ୍ଲାସ । ଯେଉଁଠି ଅଗଷ୍ଟ ୧୫ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଖରେ ୟୁନିଫର୍ମ ପହଞ୍ଚିବା କଥା, ତାହା ଏଯାଏଁ ମିଳିପାରିଲା ନାହିଁ । କିଛି ଅଭିଭାବକ ନିଜ ହାତରୁ ଖର୍ଚ୍ଚ କରି ୟୁନିଫର୍ମ ଦେଇଥିବା ବେଳେ, ଅନେକ ପିଲା ଘରର ପୁରୁଣା ଡ୍ରେସ ପିନ୍ଧି ସ୍କୁଲ ଆସିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ବର ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ । ସଦର ବ୍ଲକରେ ୩୦୬ଟି ସ୍କୁଲରୁ ୬୩ ହାଇସ୍କୁଲ ଓ ୨୪୨ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମେତ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିଛି । ହାଇସ୍କୁଲରେ ମୋଟା ମୋଟି ୮ ହଜାର ୫୦୦ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢୁଛନ୍ତି । କିନ୍ତୁ ୟୁନିଫର୍ମ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।
ଡ୍ରେସ ପ୍ରଦାନରେ ବିଳମ୍ବ କଥାକୁ ସ୍ବୀକାର କରିଛନ୍ତି ସରକାର । ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଏସଏଚଜି ଠିକ୍ ସମୟରେ ଡ୍ରେସ ଦେଇ ପାରୁନାହାନ୍ତି, ସେମାନଙ୍କ କାର୍ଯ୍ୟାଦେଶ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସ୍କୁଲ ମ୍ୟାନେଜିଂ କମିଟି ଜରିଆରେ ବିକଳ୍ପ ବ୍ୟବସ୍ଥା କରି ୟୁନିଫର୍ମ ଯୋଗାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଡ୍ରେସ୍ ପ୍ରଦାନରେ ଯଦି ଏସଏଚଜି ଦାୟୀ, ତେବେ ସେଗୁଡ଼ିକୁ ବାତିଲ କରିବା ସହ କାମ ଯୋଗାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଉପରୁ ତଳ ଯାଏଁ ଯିଏ ବି ଏଭଳି ଅନିୟମିତତା କରୁଛନ୍ତି, ତାଙ୍କୁ ଧରିଲେ ଯାଇ ଏହି ଘଟଣାର ପୁନରାବୃତ୍ତି ଘଟିବ ନାହିଁ ବୋଲି ଆଲୋଚନା ହେଉଛି ।

