spot_img

Latest Posts

ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା, ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା

ନନ୍ଦିଘୋଷ ବ୍ୟୁରୋ: ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା। ବର୍ଷ ବର୍ଷ ଧରି ଗଞ୍ଜାମ ହିଞ୍ଜିଳିକାଟୁର ରାଳବ, ଆଲୋପୁରରେ ପାଳନ ହେଉଛି ଏହି ନିଆରା ପର୍ବ। ନଦୀ ପଠାରେ ବାଲୁକା ସ୍ତୁପ କରି ପିତା ଶୁଖୁଆ ସାଙ୍ଗକୁ କାଞ୍ଜିଭାତ ପୂଜା କରିବାର ଏଥିରେ ବିଧି ରହିଛି l ଏହି ପୂଜା କଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରହିଥିବାରୁ ନଦୀପଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି l

ସନ୍ତାନ ପ୍ରାପ୍ତି ପାଇଁ କାଞ୍ଜି ଅଁଳା ଓଷା। ଷଠୀ ମାତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା । ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା। ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକର ରାଳବ ଓ ଆଲୋପୁର ଗାଁରେ ନିଆରା କାଞ୍ଜିଅଁଳା ଓଷା ପାଳିତ ହୋଇଛି। ମାର୍ଗଶିର ମାସର କୃଷ୍ଣପକ୍ଷ ନବମୀରେ ଏହି ଓଷା ପାଳନ କରାଯାଏ l ମହିଳାମାନେ ନଦୀ ପଠାରେ ଏକାଠି ହୋଇ ବାଲିରେ ସାତଟି ବାଲୁକା ସ୍ତୁପକରି ସେଥିରେ ପିତା ଶୁଖୁଆ, ହଳଦିଆ ଛିଟକନା, ଫୁଲ ଦେଇ, କାଞ୍ଜିଭାତ ସାଙ୍ଗକୁ ପିଠା ପୂଜା କରନ୍ତି l  ମାନସିକ ଧାରୀ ଅପୁତ୍ରିକ ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରି କଦଳୀ ସହ ଜିଅନ୍ତା ଗଡିଶା ମାସ ପ୍ରସାଦ ଭାବେ ସେବନ କରିଥାନ୍ତି l  ସନ୍ତାନ ପ୍ରାପ୍ତିପରେ ମାନସିକ ଧାରୀ ମହିଳା ନିଜ ସନ୍ତାନର ମୁଣ୍ଡନ କରି ମାନସିକ ପୂର୍ଣ୍ଣ କରିବାର ବିଧି ରହିଛି l

କୁହାଯାଏ ସାଧବ ଘରର ସାନ ବୋହୂ  ଅଭିଶାପ ପାଇଁ ସାତଟି ମୃତ ସନ୍ତାନକୁ ଜନ୍ମଦେଇଥିଲା l ପରେ ସ୍ୱପ୍ନାଦେଶ ପାଇ ସାଧବ ସାନବୋହୂ ଷଠୀ ଦେବୀଙ୍କ ପାଖରେ କାଞ୍ଜିଅଁଳା ଓଷା କରିଥିଲା l ଷଠୀ ଦେବୀଙ୍କ କୃପା ହେବାରୁ ସାନବୋହୂ ନିଜର ସାତଟି ଯାକ ସନ୍ତାନଙ୍କୁ ଫେରି ପାଇଥିଲା l ସେବେ ଠାରୁ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରଖି କାଞ୍ଜିଅଁଳା ଯାତ୍ରା ଧୁମ୍ ଧାମରେ ପାଳନ ହୋଇଆସୁଛି l

 

Latest Posts

Don't Miss