ବିହାର : ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚାଲିଛି କଳ୍ପନାଜଳ୍ପନା। ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ଚିରାଗ ପାଶୱାନ। ସାକ୍ଷାତକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କରାଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇଯାଇଛନ୍ତି । ତେଣେ ନୀତୀଶଙ୍କ ବାସଭବନ ଆଗରେ ଭିଡ଼ ପରିଲକ୍ଷିତ ହୋଇଛି । ନୀତୀଶ ରାଜ୍ୟର ସର୍ବାଧିକ କାଳ ରହିଥିବା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଲାଗି ସେ ଆଶାୟୀ ଥିବା ଚର୍ଚ୍ଚା ହେଉଛି।
ପୂର୍ବରୁ ରାଜ୍ୟରେ ଆଇନଶୃଙ୍ଖଳା, ଦାରିଦ୍ର୍ୟ, ବେକାରୀ ଆଦି ପ୍ରସଙ୍ଗରେ ନୀତୀଶ ସରକାରଙ୍କୁ ସମାଲୋଚନା କରିଆସୁଥିଲା ଚିରାଗ। ଏବେ ନୀତୀଶଙ୍କ କ୍ଷେତ୍ରରେ ଚିରାଗଙ୍କ ଭୂମିକା କଣ ହେବ ତାହାକୁ ନେଇ ଜାରି ରହିଛି ସସପେନ୍ସ । ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଜେଡିୟୁ ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟକୁ ଦଳ ପକ୍ଷରୁ ଡିଲିଟ କରାଯିବା ପରେ ବଢିଛି ସସପେନ୍ସ। ଗତ ୨୦୨୦ ନିର୍ବାଚନରେ ବିଜେପି ୮୦ ଓ ଜେଡିୟୁ ୪୫ ଆସନରେ ବିଜୟୀ ହୋଇଥିଲେ ବି ବିଗ ବ୍ରଦର ଭୂମିକା ନେଇଥିଲା ଜେଡିୟୁ। ଏପରିକି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହୋଇଥିଲା ବିଜେପି।
ମାତ୍ର ଚଳିତ ନିର୍ବାଚନରେ ଓଲଟିଯାଇଛି ଗଣିତ। ଯଦିଓ ନୀତୀଶଙ୍କ ଜେଡିୟୁ ଗତ ୨୦୨୦ ନିର୍ବାଚନ ତୁଳନାରେ ପ୍ରାୟ ଦୁଇଗୁଣ ଆସନ ପାଇବାକୁ ସକ୍ଷମ ହୋଇଛନ୍ତି ତଥା ଚଳିତ ନିର୍ବାଚନରେ ବିଜେପିଠୁ ପ୍ରାୟ ୨୦ ଆସନରେ ପଛରେ ରହିଛି। ଫଳରେ ବିଜେପି ସାଜିଛି ବିଗ୍ ବ୍ରଦର। ଏବେ ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ନା ଅନ୍ୟ କିଛି କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଏପିସୋଡ ରିପିଟ ହେବ କି ନାହିଁ ତାହା ଉପରେ ରହିଛି ନଜର।

