ନନ୍ଦିଘୋଷ ବ୍ୟୁରୋ : ନୂଆପଡା ଉପର୍ବାଚନରେ ଜିତିଲା ବିଜେପି । ବିଜେପି ପାର୍ଥୀ ଜୟ ଢୋଲକିଆ ବଡ ବିଜୟ ହାସଲ କରିଛନ୍ତି । ଦୁଇ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସକୁ ୮୩ ହଜାର ୭୪୮ ଭୋଟରେ ହରାଇ ସେ ବିଜୟ ହାସଲ କରିଛନ୍ତି । ଜୟ ଢୋଲକିଆଙ୍କୁ ୧୨୩୮୬୯ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପାର୍ଥୀ ଘାସିରାମ ମାଝିଙ୍କୁ ୪୦୧୨୧ ଖଣ୍ଡ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ପରାଜୟ ପାଇଁ ସମ୍ଵଳର ଅଭାବକୁ ଦାୟୀ କରିଛନ୍ତି ଘାସିରାମ ମାଝି । ଉପଯୁକ୍ତ ସମର୍ଥନ ଓ ସମ୍ଵଳ ନ ମିଳିବାରୁ ହାରିଥିବା ସେ କହିଛନ୍ତି। ବିଜେଡି ପାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ୩୮୪୦୮ ଖଣ୍ଡ ଭୋଟ୍ ମିଳିଛି । ବାପା ରାଜୁ ଢୋଲକିଆ ଓ ନୂଆପଡାବାସୀଙ୍କ ଆର୍ଶୀବାଦାରୁ ଜିତିଥିବା କହିଛନ୍ତି ଜୟ ଢୋଲକିଆ । ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇ ନୂଆପଡାରେ ସେ ବିଜୟ ଶୋଭାଯାତ୍ରା କରିଛନ୍ତି ।
ନୂଆପଡ଼ା ଉପନିର୍ବାଚନ ଜିତିବା ପରେ ରାଜ୍ଯ ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ନୂଆପଡ଼ାରେ ଥିବା ଦଳର ଜିଲ୍ଲା କାର୍ଯ୍ଯାଳୟରେ ଢୋଲ ବାଜା ବଜେଇ ବିଜୟ ଉତ୍ସବ ପାଲିଛନ୍ତି ବିଜେପି ନେତା ଓ କର୍ମୀ। ବାପା ରାଜୁ ଭାଇ ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଜୟ ଢୋଲକିଆ। ଉପନିର୍ବାଚନରେ ବିଜୟୀ ହେବାପରେ ସେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରା କରିବେ ବୋଲି ପୁଣି ଥରେ ଦୋହରାଇଛନ୍ତି। କହିଛନ୍ତି, ଏହି ବିଜୟ ନୂଆପଡ଼ାବାସୀଙ୍କର। ଆଗାମୀ ଦିନରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ଦିନରାତି ଏକ କରିଦେବ। ଏତେବଡ଼ ବ୍ଯବଧାନରେ ବିଜୟ ହେବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ଆଭିମୁଖ୍ଯକୁ ନୂଆପଡ଼ାବାସୀ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ଯପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିଲେ। ଆଜିର ଭୋଟଗଣତି ଫଳ ପ୍ରକାଶ ପାଇବା ପରେ ତାଙ୍କୁ ପୁଣିଥରେ ଦ୍ବିତୀୟ ସ୍ଥାନ ମିଳିଛି। ନୂଆପଡ଼ାବାସୀଙ୍କ ସେବା କରିବା ପାଇଁ ସେ ଏକାଧିକ ଥର ନିର୍ବାଚନ ହାରିଥିଲେ ମଧ୍ଯ ଆଶା ହରାଇନାହାନ୍ତି। ଆଗକୁ ଯେତେ ନିର୍ବାଚନ ହେବ ସେ ନୂଆପଡ଼ାରେ ପ୍ରତିଦ୍ବନ୍ଦ୍ବୀତା କରିବେ ବୋଲି ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଘାସିରାମ।

