ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡିର ନା ବିଜେପିର ?
ନନ୍ଦିଘୋଷ ବ୍ୟୁରୋ: ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କାହାର ? ବିଜେଡିର ନା ବିଜେପିର ? ଏହାକୁ ନେଇ ପୂର୍ବରୁ କୌଣସି ବିବାଦ ନଥିବା ବେଳେ, ଏବେ ହଠାତ ଜିଲ୍ଲାପାଳ କେଁ ପୂରାଇଛନ୍ତି । ବିଜେଡି ନିଜର ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କ ଭିଡିଓ ବ୍ୟବହାର କରିପାରିବ ନାହିଁ ବୋଲି ଆପତ୍ତି ଉଠାଇଛନ୍ତି ଜିଲ୍ଲାପାଳ । ଏନେଇ ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ସେପଟେ ଆସନ୍ତା ତିନି ତାରିଖରେ ନବୀନଙ୍କ କୋମନା ଜନସଭାକୁ ଭଣ୍ଡୁର କରିବାକୁ ମଧ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଷଡଯନ୍ତ୍ର କରୁଛନ୍ତି ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି ।
ବିଜୁ ବାବୁଙ୍କଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ବିଜୁ ପରିବାର ସହ ଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ହେଲେ ପ୍ରଚାର ବେଳେ ତାଙ୍କ ଫଟୋ ବ୍ୟବହାର କରିପାରିବନି ବିଜେଡି । ଜିଲ୍ଲାପାଳଙ୍କ ଏଭଳି କଟକଟଣାକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଅଭିଯୋଗ କରିଛି ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି ଜିଲ୍ଲା ପ୍ରଶାସନ । ନୂଆପଡା ଉପନିର୍ବାଚନ ପାଇଁ ତିନି ଦଳର ପ୍ରଚାର ଜୋର ଧରିଛି । ଉଭୟ ବିଜେପି ଓ ବିଜେଡି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ସହ ପ୍ରଚାର କରୁଛନ୍ତି । ଏବେ ହଠାତ ବିଜେଡିର ଏକ ପ୍ରଚାର ଭିଡିଓକୁ ନେଇ ଆପତ୍ତି ଉଠାଇଛନ୍ତି ଜିଲ୍ଲାପାଳ । ବିଜେଡିର ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କ ଦୁଇ ସେକେଣ୍ଡର ଭିଡିଓ ବ୍ୟବହାର ହୋଇଥିଲା । କିନ୍ତୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନୂଆପଡାରେ ହାରିଯିବା ଭୟରେ ଜିଲ୍ଲା ପ୍ରଶାସନର ଦୁରୁପଯୋଗ କରୁଛି ଓ ଜିଲ୍ଲାପାଳ ବିଜେପି ନେତାଙ୍କ ଇଙ୍ଗିତରେ ବିଜେଡି ଉପରେ କଟକଣା ଲଗାଉଥିବା ବିଜେଡି ଅଭିଯୋଗ କରିଛି । ରାଜେନ୍ଦ୍ର ଢୋଲକିଆ ବିଜେଡି ସହ ଥିଲେ ଆଉ ତାଙ୍କ ଅବର୍ତ୍ତମାନରେ ଏହି ଉପନିର୍ବାଚନ ହେଉଛି । ତେଣୁ ବିଜେଡିର ପୂରା ଅଧିକାର ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିବାର । ବିଜେପି ମଧ୍ୟ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି । ବିଜେଡି ତ ଏହାର ପ୍ରତିବାଦ କରିନି । ବିଜେପି ନେତାମାନେ ନିର୍ବାଚନ ହାରିଯିବା ଭୟରେ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ବିଜେଡି ଉପରେ କଟକଣା ଲଗାଉଥିବା ବିଜେଡି ଅଭିଯୋଗ କରିଛି ।
ଏହି ପ୍ରସଙ୍ଗରେ ବିଜେଡିର ଏକ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛି । ବିଜେଡିର ଯୁକ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲଖିଆ ପୂର୍ବରୁ ବିଜୁ ବାବୁଙ୍କ ସହ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ସହ କାର୍ଯ୍ୟ କରିଛନ୍ତି । ରାଜୁ ଭାଇ ଢୋଲଖିଆ ହେଉଛନ୍ତି ବିଜେଡିର ସମ୍ପତ୍ତି । ତାଙ୍କ ପୁଅ ଜୟ ଢୋଲଖିଆ ବିଜେପିରୁ ପାର୍ଥୀ ହୋଇଥିବାରୁ ରାଜୁ ଢୋଲକିଆଙ୍କ ଫଟୋ ଲାଗିଲେ କାଳେ ବିଜେପି ହାରିଯିବ, ଏହି ଭୟରେ ଶାସକ ଦଳ କଥାରେ ଜିଲ୍ଲାପାଳ ବିଜେଡି ଉପରେ ଅଙ୍କୁଶ ଲଗାଉଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କରିଛି ବିତଣ୍ଡା ଯୁକ୍ତି ।

