ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ନିଜକୁ ଅସୁରକ୍ଷିତ ମନେ କଲେଣି ଲୋକ । ନିଜ ସୋସିଆଲ ସାଇଟରେ ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ । ଏଭଳି କହିବା ସହ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଛନ୍ତି ନବୀନ ପଟ୍ଟାନାୟକ । ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ଓ କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ନବୀନ ।
ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ବିଜେପି ସରକାର ଅସମର୍ଥ ବୋଲି ସେ କହିଛନ୍ତି । ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି । ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । …