ତିନି ଦିନ ହେଲାଣି ପୁଅର ପତ୍ତା ମିଳୁନି: ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’

ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’ । ଦୁଃଖ ଦେଇ କୁଆଡେ ପଳେଇଲୁରେ ଧନ.. ନିଖୋଜ ପୁଅ ପାଇଁ ବୁକୁ ଫଟାଇ କାନ୍ଦୁଛି ମାଆ । ପୂରା ଗାଁରେ ଶୋକର ପରିବେଶ। ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି ପ୍ରଳୟଙ୍କାରୀ ବନ୍ୟା। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୋଡ଼ାପଲ୍ଲୀ ଗାଁର ବୁଲୁ ପ୍ରଧାନଙ୍କ ୧୬ ବର୍ଷର ଶୁଭମ ପ୍ରଧାନ। ବ୍ରହ୍ମପୁର ବେଦ ବ୍ୟାସ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ଦଶହରା ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ। ଗତ ୩ ତାରିଖରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଋଷିକୂଲ୍ୟା ନଦୀରେ ବନ୍ୟା ପରିସ୍ଥିତି ଉପୁଜି ଥିଲା। ଗତ ୪ ତାରିଖରେ ଋଷିକୂଲ୍ୟା ନଦୀକୁ ନିଜ ସାଙ୍ଗ ସହ ଗାଧୋଇବାକୁ ଯାଇଥିଲେ ଶୁଭମ। ହେଲେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ବି ଆଜକୁ ୩ ଦିନ ବିତିଲାଣି ଶୁଭମଙ୍କ ପତ୍ତା ମିଳୁନି।
ପାଠ ପଢୁଆ ପୁଅକୁ ନେଇ ମା ବାପା କେତେ ସ୍ୱପ୍ନ ଦେଖିଥିଲେ। ସବୁ ସେହି କାଳ ବନ୍ୟାର କରାଳ ରୂପରେ ଲୀନ ହୋଇ ଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ମାଧ୍ୟମରେ ଖୋଜାଖୋଜି ବି ଜାରି ରହିଛି। ହେଲେ ଶୁଭମଙ୍କ କୌଣସି ପତ୍ତା ମିଳୁନି। ସୋରଡା ହ୍ରଦ ଓ ଭଞ୍ଜନଗର ହ୍ରଦର ଗେଟ ବନ୍ଦ କରି ନଦୀ ପାଣି ଜଳ ପ୍ରବାହକୁ କିଛି ମାତ୍ରାରେ କମ କରାଯାଇପାରିଲେ ଶୁଭମଙ୍କୁ ଖୋଜିବାରେ ସହଜ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।