ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷଜମି: ଫଳରେ ବର୍ଷକର ଚାଷକୁ ନେଇ ଚିନ୍ତାରେ ଚାଷ
1 min read
ଜମି ଫାଟି ଆଁ କରିଛି । ପାଲଟିଲାଣି ମରୁଭୂମି । ହଜାର ହଜାର ହେକ୍ଟର ଚାଷଜମି ଶୁଖିଲା ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ କେନାଲ ଥାଇ ବି ମିଳୁନି ଲାଭ । କେଉଁଠି କେନାଲରେ କିଛି ଜାଗାରେ ଗଛ ଉଠି ଜଙ୍ଗଲ ହୋଇଯିବାରୁ ପାଣି ଆସୁନି ତ ଆଉ କେଉଁଠି କେନାଲ ଶୁଖିଲା ପଡିଛି । ଧର୍ମଗଡ ବ୍ଲକ ଆଇଁଲା ଜୋର୍, ପର୍ଲା, ବଡ ଗୁମର, ଆମ୍ବଗୁଡା, ପିପଲା, ଚିତାମୁଣ୍ଡା ସାଙ୍ଗକୁ କୋକସରା ବ୍ଲକର ୬ରୁ ଅଧିକ ଗାଁ ହେଉଛି ଅଣ-ଜଳସେଚିତ ଅଞ୍ଚଳ । ଏହି ଅଞ୍ଚଳରେ ପ୍ରାୟ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବାବେଳେ ୫ ହଜାରରୁ ଅଧିକ ଚାଷୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏଭଳି ସ୍ଥିିତିରେ ଏବେ ଆଶା ଆଶଙ୍କାରେ ଚାଷୀ।
ପ୍ରତି ବର୍ଷ ଏହି ଅଞ୍ଚଳର ଚାଷୀ ମରୁଡିର ଶିକାର ହେଉଥିବା ଅଭିଯୋଗ ହେବା ପରେ ପୂର୍ବ ସରକାର କେନାଲ ନିର୍ମାଣ କରିଥିଲେ । ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର ବାମ ମୁଖ୍ୟ କେନାଲର ରାବଣ ଗୁଡା ଠାରୁ ପିପଲା ଯାଏଁ ଏକ ଶାଖା କେନାଲ ନିର୍ମାଣ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କେନାଲରେ ଏବେ ଆସୁନି ପାଣି । ଅନ୍ୟ ପଟେ କେନାଲ ସମସ୍ୟା ନେଇ ବିଭାଗୀୟ ଅଧକାରୀ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । କେତେବେଳେ ନିଅଣ୍ଟିଆ ବର୍ଷା ତ କେତେବେଳେ ସାର ଅଭାବ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବାବେଳେ ଏବେ ଇନ୍ଦ୍ରାବତୀ କେନାଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ତୁରନ୍ତ ଏହି କେନାଲର ପୁନରୁଦ୍ଧାର କରିବାକୁ ଦାବି ହୋଇଛି ।