ଗଜପତିରେ ହେବ ପର୍ଯ୍ୟଟନର ବିକାଶ, ୩୭୭ କୋଟିର ପୁଞ୍ଜି ନିବେଶ କରିବେ ନିବେଶକ
1 min read
ନନ୍ଦିଘୋଷ ବ୍ୟୁରୋ: ଗଜପତି ଜିଲ୍ଲାରେ ପର୍ଯ୍ୟଟନ ବିକାଶ ସହ ବିଭନ୍ନ ପ୍ରକଳ୍ପରେ ୩୭୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ପ୍ରତ୍ୟକ୍ଷ ଗୃପ ଅଫ୍ ଇଣ୍ଡଷ୍ଟ୍ରି । ଏଥିପାଇଁ ୪ ଟି ପ୍ରକଳ୍ପ ଅନୁମୋଦିତ ହେବାସହ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଜିରାଙ୍ଗ ବୌଦ୍ଧ ମନ୍ଦିର ସମ୍ମୁଖରେ ନିର୍ମାଣ ହେବ ପଞ୍ଚ ତାରକା ହୋଟେଲ । ଏଥିପାଇଁ ଇଡକୋ ପକ୍ଷରୁ ୨୦ ଏକର ଜମି ହସ୍ତାନ୍ତର ସରିଛି । ଏଥିରେ ଶହେ କୋଟି ଟଙ୍କା ନିବେଶ କରି ୯୦ଟି ଉଚ୍ଚ ବିଳାସପୂର୍ଣ୍ଣ ଆବାସ ବିଶିଷ୍ଠ ରିସୋର୍ଟ ନିର୍ମାଣ ହେବ । ଇକୋ ଲଗଜରୀ ଡିଜାଇନରେ ପ୍ରସ୍ତୃତ ହେବାକୁ ଥିବା ଏହି ରିସୋର୍ଟ ଓ ଏହାର ପରିସର ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଚାହିଦାକୁ ପୂରଣ କରିବ । ଏଥିପାଇଁ ଅନ୍ତର୍ଜାତୀୟ ଆଟମୋସ୍ପେୟାର କୋର ଗ୍ରୁପ ସହ ଅନୁବନ୍ଧିତ ହୋଇଛି । ଫଳରେ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ । ଦୁଇ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ସେହିଭଳି କାଶୀନଗର ଅଞ୍ଚଳର ୮୩ ଏକର ଜମିରେ ଏମଏସଏମଇ ପାର୍କ ନିର୍ମାଣ କରାଯିବ । ଯେଉଁଥିରେ ୨୦ ମେଗା ୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ପାଓ୍ବାର ପ୍ଳାଣ୍ଟ ନିର୍ମାଣ ହେବ । ଯେଉଁଥିରୁ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିପାରିବେ । ଏଥିସହ ଏଠାରେ ଏକ ୨୦ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଠ ଅତ୍ୟାଧୁନିକ ଶୀତଳ ଭଣ୍ଡାର ନିର୍ମାଣ ହେବ । ଯାହାଦ୍ଵାରା ସ୍ଥାନୀୟ ଅଞ୍ଚଳର କୃଷକ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଗଚ୍ଛିତ ରଖି ବଜାରର ଉଚିତ ମୂଲ୍ୟ ପାଇପାରିବେ । ଏହାବାଦ ଗୋଟିଏ ଫୁଡ୍ ପ୍ରୋସେସିଙ୍ଗି ୟୁନିଟ (winer) ମଧ୍ୟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକଳ୍ପ ନିର୍ମାଣ କରାଯିବ । ଏହି ସବୁ ପ୍ରକଳ୍ପରେ ଜିଲ୍ଲାର ୧୦ ହଜାର ୭୦୦ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ବାରା ଜିଲ୍ଲାର ବହୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୋଜଗାର କ୍ଷମ ହେବା ସହ ସାମୂହିକ ବିକାଶରେ ସହାୟକ ହୋଇପାରିବେ ବୋଲି ପ୍ରତ୍ୟକ୍ଷ ଗୃପ ଅଫ୍ ଇଣ୍ଡଷ୍ଟ୍ରିର ମ୍ୟାନେଜିଙ୍ଗ ଡାଇରେକ୍ଟର ଦିବ୍ୟାସ୍ନାତା ମହାନ୍ତି କହିଛନ୍ତି ।