ଶକ୍ତିଶାଳୀ ହେବ ହାତ: ୩୫ ଜିଲ୍ଲା ସଭାପତିଙ୍କ ନାଁ ଚୂଡାନ୍ତ, ମାସ ଶେଷକୁ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ତୃଣମୂଳସ୍ତରର ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ । ବର୍ଷେବ୍ୟାପୀ ପଦଯାତ୍ରା କରି ଦଳ ସଂଗଠନକୁ ଚଳଚଞ୍ଚଳ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ୩୫ଟି ସାଂଗଠନିକ ଜିଲ୍ଲାରେ ମୁଖିଆ ତାଲିକା ଚୂଡାନ୍ତ କରିବା ପରେ କେବଳ ନାଁ ଘୋଷଣାକୁ ଦଳ ଅପେକ୍ଷା କରିଛି । ମାସ ଶେଷକୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରି ଦଳ ବ୍ଲକ, ନଗର ସଭାପତି ପ୍ରକ୍ରିୟା ଆରମ୍ଭ କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।

ଓଡିଶା କଂଗ୍ରେସକୁ ମଜଭୁତ କରିଛି ସଂଗଠନ ସୃଜନ । ଗୁଜରାଟ ଢାଞ୍ଚାରେ ଜିଲ୍ଲା ସଭାପତି ଚୟନ ପରେ ଦଳକୁ ଘାରିଛି ତୃଣମୂଳ ସଂଗଠନକୁ ଚଳଚଞ୍ଚଳ କରିବା ଚିନ୍ତା । ବର୍ଷେ ବ୍ୟାପୀ ପଦଯାତ୍ରା କରି ଦଳ ଓଡିଶାରେ କଂଗ୍ରେସ ସଂଗଠନକୁ କ୍ରୀୟାଶୀଳ କରିବାକୁ ଲମ୍ବା ରୋଡ ମ୍ୟାପ ପ୍ରସ୍ତୁତ କରିଛି । ଖୁବଶୀଘ୍ର ଏଆଇସିସି ୩୫ଟି ସାଂଗଠନିକ ଜିଲ୍ଲାର ମୁଖିଆଙ୍କ ନାଁ ଘୋଷଣା କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ୩୦ ତାରିଖ ପରେ ବ୍ଲକ, ନଗର ସଭାପତି ଚୂଡାନ୍ତ କରିବ ଦଳ । ପଦଯାତ୍ରା ସମୟରେ ବିଜେପି ସରକାରଙ୍କ ବିଫଳତା ଓ ନିର୍ବାଚନୀ ପ୍ରତିଶ୍ରୁତି କିପରି ପାଣିର ଗାର ସାଜିଛି ତାହା ଲୋକଙ୍କୁ ବୁଝାଇବ ଦଳ । ୩୦୦ ୟୁନିଟ ମାଗଣା ବିଜୁଳି, ୨୪ ଘଣ୍ଟାରେ ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ଟଙ୍କା ଫେରସ୍ତ ପରି ମାଳମାଳ ପ୍ରତିଶ୍ରୁତି କିପରି ମିଥ୍ୟା ପାଲଟିଛି ତାହା ଲୋକଙ୍କୁ ବୁଝାଇବ କଂଗ୍ରେସ ।

ବିଜେପି ସରକାର ବିରୋଧରେ ଗାଁ ଗାଁରେ ଲଢେଇ କରିବାକୁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଏଥିଲାଗି ଏଆଇସିସି ସ୍ବତନ୍ତ୍ର ଦୃଷ୍ଟି ଦେଇଛି । ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ପୂରା ଜୋଶରେ ତୃଣମୂଳ ସଂଗଠନ ଆଗେଇ ଚାଲିବ ବୋଲି ସେ ଯୁକ୍ତି ବାଢିଛନ୍ତି ।

୨୪ ବର୍ଷ ଧରି କଂଗ୍ରେସ କ୍ଷମତା ବାହାରେ ରହିଛି । କିପରି ଆଗାମୀ ସମୟରେ ପୁଣି ଜନତାଙ୍କ ଶ୍ରଦ୍ଧାଭାଜନ ହେବା ସହ ବିଶ୍ବାସ ଜିତିବ ସେଥିଲାଗି ପ୍ରତି ମୁହୂର୍ତ୍ତରେ ରଣନୀତି କରାଯାଉଛି । ଦୁର୍ବଳ ସଂଗଠନ ପାଇଁ ଦଳ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଜିଣୁପାରୁ ନଥିବାରୁ ଏଆଇସିସି ଓଡିଶା କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି ।